ଡାକ୍ତରମାନେ କହନ୍ତି, ପ୍ରତ୍ୟେକ ମଣିଷ ପାଇଁ କେଶ ଉପୁଡିବା ଏକ ସାଧାରଣ ଲକ୍ଷଣ ହେଲେ ମଧ୍ୟ, ଏହା ଆମ ପାଇଁ ଚିନ୍ତାର କାରଣ ହୋଇପଡେ । କିନ୍ତୁ ଏଥିରେ କେଶ ଉପୁଡିବାରେ କୌଣସି ଅସ୍ୱାଭାବିକତା ନାହିଁ । ଜଣେ ବୟସ୍କ ବ୍ୟକ୍ତିର ମୁଣ୍ଡରେ ପାଖାପାଖି ଏକଲକ୍ଷ କେଶ ମୂଳ ଥାଏ । ଯଦି ସେଇ କେଶମୂଳରେ କୌଣସି ନୂଆ କେଶ ସୃଷ୍ଟି ହୁଏ ତେବେ ପୁରୁଣା କେଶଟି ଠେଲି ହୋଇ ଉପରକୁ ଉଠିଆସେ ଓ ଖସିପଡେ । ଏହି ପ୍ରକ୍ରିୟାରେ ଜଣେ ବୟସ୍କ ବ୍ୟକ୍ତିର ମୁଣ୍ଡରୁ ପ୍ରତିଦିନ ପ୍ରାୟ ୫୦ ରୁ ୧୦୦ ଯାଏ କେଶ ଉପୁଡେ ଓ ନୂତନ କେଶ ତା’ର ସ୍ଥାନ ପୂରଣ କରେ । କିନ୍ତୁ ୫୦ ବର୍ଷ ବୟସରୁ ଉଦ୍ଧ୍ୱର୍ ବ୍ୟକ୍ତି (ମହିଳା ଓ ପୁରୁଷ)ଙ୍କର ନୂତନ କେଶ ଉଠିବାର ସମ୍ଭାବନା ବହୁତ କମ ।
କେଶ ଉପୁଡିବାର କାରଣ
ପ୍ରଥମ କଥା ହେଲା, ଯେଉଁମାନେ ସପ୍ତାହ ସପ୍ତାହ ଧରି କେଶ ଧୁଅନ୍ତି ନାହିଁ ସେମାନଙ୍କର ପୁରୁଣା ବାଳ ନ ଝଡି ରହି ଯାଇଥାଏ । ତେଣୁ ଯେଉଁଦିନ ସେମାନେ ଧୁଅନ୍ତି ସେମାନେ ଦେଖନ୍ତି ଏକାଠି ଗୁଡାଏ କେଶ ଉପୁଡି ପାଣିରେ ଭାସିଯାଏ । ତା’ଛଡା ବୟସ ବଢ଼ି ଚଲିଲେ ମୁଣ୍ଡରେ କେଶମୂଳର ସଂଖୃାଂ କ୍ରମଶଃ ହ୍ରାସ ପାଇଯିବା ହେତୁ ବାଳ ପତଳା ହୋଇଯାଏ । କିନ୍ତୁ ଅନ୍ୟ ଗୋଟିଏ ଲକ୍ଷଣ ହେଉଛି କିଶୋର କିଶୋରୀଙ୍କ ମୁଣ୍ଡରୁ ମଧ୍ୟ ଅଧିକ କେଶ ଉପୁଡିଥାଏ । ଏହି ସମୟରେ ସେମାନଙ୍କ ହରମୋନ ମାତ୍ରାରେ ପରିବର୍ତ୍ତନ ଘଟୁଥିବା ହେତୁ କେଶ ଉପୁଡିଥାଏ । ଗର୍ଭାବସ୍ଥାରେ ମଧ୍ୟ କେଶ ଉପୁଡିବା ବଢ଼ିଯାଏ । କାରଣ ଗର୍ଭସ୍ଥ ଶିଶୁ ମା’ ଖାଦ୍ୟର ବହୁଳାଂଶ ଗ୍ରହଣ କରି ନେଉଥିବାରୁ ଏପରି ଘଟିଥାଏ । ଏତଦବ୍ୟତୀତ ଦୀର୍ଘ ଦିନର ପୁରୁଣା ରୋଗ, ରୂପି, ମୁଣ୍ଡରେ ଯାଦୁଭଳି କୌଣସି ଚର୍ମରୋଗ, କୌଣସି ବଡ଼ ଧରଣର ଅପରେସନ ହୋଇଥିଲେ ତାହା କେଶ ପତନର କାରଣ ହୋଇଥାଏ । ଯେଉଁ ସ୍ତ୍ରୀ ଲୋକମାନେ ଗର୍ଭ ନିରୋଧକ ବଟିକା ଖାଆନ୍ତି ଓ କୌଣସି କାରଣ ପାଇଁ ତାହା ପୁଣି ବନ୍ଦ କରି ଦିଅନ୍ତି ତେବେ ଏଥିପାଇଁ କେଶ ମଧ୍ୟ ଉପୁଡେ । ଅଧିକ ଉତ୍ତେଜିତ ହେବା (ଟେନସନ), ଚିନ୍ତା କରିବା ବା କ୍ରୋଧିତ ହେବା ଯୋଗୁଁ ମଧ୍ୟ କେଶ ଉପୁଡେ । କର୍କଟ ରୋଗା, ଗଳଗ୍ରନ୍ଥୀ ରୋଗ, ଲୌହସାର ଅଭାବ, ମଧୁମେହ ରୋଗ, କୃମିରୋଗ ଇତ୍ୟାଦି ଥିଲେ ମଧ୍ୟ କେଶ ଉପୁଡେ । ଯେଉଁମାନେ ନିର୍ଦ୍ଦିଷ୍ଟ କୌଣସି ଔଷଧକୁ କ୍ରମାଗତ ସେବନ କରନ୍ତି ସେମାନଙ୍କର ମଧ୍ୟ କେଶ ପାତ ଘଟେ । ମାନସିକ ଦୁଶ୍ଚିନ୍ତା ଓ ଓଜନ କମାଇବା ପାଇଁ ଖାଦ୍ୟର ପରିମାଣ ହ୍ରାସ ମଧ୍ୟ କେଶ ଉପୁଡିବାର କାରଣ ହୋଇଥାଏ ।






