ଜଳେଶ୍ୱର (ବାଘୁଆବାର୍ତ୍ତା): ବାଲେଶ୍ୱର ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ଥାନା ଜମାଳପୁର ଠାରେ ଡ୍ରାଇଭର ହେଲପରଙ୍କୁ ନିଶା ଖୁଆଇ ରିଫାଇନ ଓଏଲ ଟ୍ୟାଙ୍କରକୁ ରାଜପଥ ଲୁଟେରା ହାଇଜାକ କରିଛନ୍ତି । ଅସୁସ୍ଥ ଡ୍ରାଇଭର ଓ ହେଲପରଙ୍କୁ ବାଲେଶ୍ୱର ଆରଟିଓ ରାସ୍ତା କଡରୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ତେଲ ଟ୍ୟାଙ୍କରଟି ରାଜସ୍ଥାନରୁ ଓଡିଶା ଆସୁଥିଲା । ତେବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥର ଜମାଳପୁର ରାସ୍ତାରେ ବିଳମ୍ବତ ରାତ୍ରିରେ ଟ୍ୟାଙ୍କରକୁ ଦୁର୍ବୃତ୍ତ ହାଇଜାକ କରାଯାଇଥିବା ଜଣାପଡିଛି । ଡ୍ରାଇଭର ଓ ହେଲ୍ପରକୁ ନିଶା ଦେଇ ଗାଡି ଲୁଟ କରିଛନ୍ତି ରାଜପଥ ଲୁଟେରା । ଏହି ଘଟଣା ବୁଧବାର ଦ୍ୱିପ୍ରହର ସମୟରେ ଜଣାପଡିଥିଲା । ବାଲେଶ୍ୱର ଆରଟିଓ ରାସ୍ତାରେ ଯାଉଥିବା ସମୟରେ ଏକ ବୁଦା ମୂଳରେ ଦୁଇ ଜଣ ଲୋକ ପଡିଥିବା ଦେଖି ସେମାନଙ୍କୁ ଉଠାଇ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲକୁ ନେଇ ଥିଲେ । ଉଭୟ ଡ୍ରାଇଭର ଓ ହେଲପର ବୋଲି ଜଣା ପଡିବା ପରେ ଟ୍ୟାଙ୍କର ଲୁଟ କଥା ପଦାକୁ ଆସିଛି । ସେମାନଙ୍କର ଚିକିତ୍ସା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି କୁହାଯାଉଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଜଳେଶ୍ୱର ଥାନା ଅନ୍ତର୍ଗତ ବାରମ୍ବାର ତେଲ ଟ୍ୟାଙ୍କର ହାଇଜାକକୁ ନେଇ ଜଳେଶ୍ୱର ପୋଲିସ ର ମୁଣ୍ଡବ୍ୟଥାର କାରଣ ପାଲଟି ଥିଲା ବେଳେ ଜାତୀୟ ରାଜପଥ ଏବେ ଟ୍ରକ ଡ୍ରାଇଭର ପାଇଁ କାଳ ସାଜିଛି ।






