କଳାହାଣ୍ଡି/ ବଲାଙ୍ଗୀର, (ବାଘୁଆବାର୍ତ୍ତା): ଗୋବିନ୍ଦ ହେଉ ଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ମହାଲିଙ୍ଗ ଗ୍ରାମର ବାସିନ୍ଦା । ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରୁ ବିଏ ପଢ଼ିବା ପରେ ଆଇନ ଡିଗ୍ରୀ ହାସଲ କରିଥିଲେ । ପରେପରେ ୧୯୯୦-୯୧ ମସିହାରୁ ଗୋଲାମୁଣ୍ଡା ବ୍ଲକ୍ରେ ଠିକା କାମ ଆରମ୍ଭ କରିଥିଲେ । ଠିକା କାମ କରିବା ସମୟରେ ବ୍ଲକ୍ର ଜଣେ ସହକାରୀ ଯନ୍ତ୍ରୀଙ୍କ ସହିତ ତାଙ୍କର ସମ୍ପର୍କ ସୁଦୃଢ଼ ହୋଇଥିଲା । ଗୋବିନ୍ଦଙ୍କ ନାମରେ ଠିକା ମଞ୍ଜୁର ହେବାପରେ ସେ କାମ କରୁଥିଲେ ଏବଂ ତହିଁରେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଅର୍ଥ ଲଗାଉଥିଲେ । ପରେପରେ ସମ୍ପୃକ୍ତ ଯନ୍ତ୍ରୀ ମହାଲିଙ୍ଗ ଅଞ୍ଚଳରେ ପ୍ରାୟ ୪୦ ଏକର ଜମି କିଣିଥିଲେ । କିନ୍ତୁ ସରକାରୀ ଚାକିରିଆ ହୋଇଥିବାରୁ ଏବଂ ଗୋବିନ୍ଦଙ୍କ ସହିତ ହିସାବ ବରାବର ଥିବାରୁ ନିଜେ କିଣିଥିବା ଜମିତକ ସେ ଗୋବିନ୍ଦଙ୍କ ନାମରେ କରାଇଥିଲେ । ସେହି ସମୟରେ ଉଭୟେ ମିଶି ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ପାଇଁ ଜଣେ ବ୍ୟକ୍ତିଙ୍କୁ ସମର୍ଥନ ଦେଇଥିଲେ ଏବଂ ତାଙ୍କୁ ବିଜୟୀ ମଧ୍ୟ କରାଇଥିଲେ । ରାଜନୀତି ଗୋଟି ଚାଳନାରେ ସଫଳ ହେବାପରେ ଗୋବିନ୍ଦଙ୍କ ପତିଆରା ବଢ଼ିବାରେ ଲାଗିଥିଲା । ପରବର୍ତ୍ତି ସମୟରେ ସମ୍ପୃକ୍ତ ଯନ୍ତ୍ରୀ ରୋଗାକ୍ରାନ୍ତ ହୋଇ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା । ତାହା ପରଠୁ ଗୋବିନ୍ଦ ସବୁତକ ଜମିର ମାଲିକ ପାଲଟିଯାଇଥିଲେ । ଗତ ୨୦୧୦ ମସିହାରେ ସେ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଆରମ୍ଭ କରିଥିଲେ । ଆଶ୍ଚର୍ୟ୍ୟର ବିଷୟ ହେଉଛି ଏକ ଘରୋଇ ମହାବିଦ୍ୟାଳୟ ୧୦ ବର୍ଷ ମଧ୍ୟରେ ବ୍ଲକ୍ ଗ୍ରାଣ୍ଟପ୍ରାପ୍ତ କଲେଜରେ ପରିଣତ ହୋଇଥିଲା । ଏପରିକି ସେଠାରେ ବିଧାୟକ ପାଙଋି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଙଋି ଓ ଅନ୍ୟାନ୍ୟ ଯୋଜନାର ଅନୁଦାନ ସମେତ ବହୁ ସରକାରୀ ଅର୍ଥ ବିନିଯୋଗ ହୋଇଛି । ପରେପରେ ସେଠାରେ ଗୋବିନ୍ଦ ଯୁକ୍ତ ତିନି ମହାବିଦ୍ୟାଳୟ ମଧ୍ୟ ଖୋଲିଥିଲେ । ଗତ ପ୍ରାୟ ୫ ବର୍ଷତଳେ ଉକ୍ତ କ୍ୟାମ୍ପସ ଭିତରେ ସେ ଆରମ୍ଭ କରିଥିଲେ ସନ୍ସାଇନ ପବ୍ଲିକ୍ ସ୍କୁଲ । ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦ ଆରମ୍ଭରୁ ହିଁ ଜଣେ ବିବାଦୀୟ ଚରିତ୍ରର ବ୍ୟକ୍ତି ଅଟନ୍ତି । ୨୦୦୩ ମସିହାରେ ଗାଁରେ ଏକ ପୋଡ଼ାଜଳା ମାମଲାରେ ସେ ସମ୍ପୃକ୍ତ ହୋଇ ତାଙ୍କ ନାମରେ ମାମଲା ରଜୁ ହୋଇଥିଲା । ସେହିଭଳି କଲେଜ ଖୋଲିବା ପରଠୁ କ୍ରମାଗତ ଭାବରେ ଗୋବିନ୍ଦଙ୍କ ନାମରେ ଯୌନ ବ୍ୟଭିଚାର ଅଭିଯୋଗ ଆସିଛି । ତାଙ୍କ ଶିକ୍ଷାନୁଷ୍ଠାନର କେତେକ ଶିକ୍ଷକ ବାରମ୍ବାର ଏ ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଗୋବିନ୍ଦ ନିଜ ରାଜନୈତିକ ପତିଆରା ବଳରେ ସେ ସବୁକୁ ପ୍ରଶମିତ କରିବାରେ ସଫଳ ହୋଇଆସୁଥିଲେ ।






