ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଜାତୀୟ ଶିକ୍ଷାନୀତି ଭାରତୀୟ ସଂସ୍କୃତି, ଶୈକ୍ଷିକ ପରମ୍ପରା, ଚିନ୍ତନ ଓ ତତ୍ତ୍ୱ ଉପରେ ଆଧାରିତ । ଏହା ମାଧ୍ୟମରେ ଭାରତୀୟତା ସ୍ପଷ୍ଟ ଭାବରେ ପ୍ରକାଶିତ ଓ ପ୍ରସାରିତ ହୋଇପାରିବ । ଭାରତୀୟତା ହେଉଛି ବିଶ୍ୱଜନୀନତା, ଯାହାର ଆବଶ୍ୟକତା ସାଂପ୍ରତିକ ବିଶ୍ୱ ପାଇଁ ଏକାନ୍ତ ଜରୁରୀ । ପ୍ରବିଧି ସହିତ ଆତ୍ମବୋଧର ସହାବସ୍ଥାନ ଏକାନ୍ତ ଆବଶ୍ୟକ । ଜାତୀୟ ଶିକ୍ଷାନୀତିର କୁଶଳ କାର୍ଯ୍ୟାନ୍ୱୟନ ଓ ଆତ୍ମିକ ପ୍ରୟୋଗ ନିମନ୍ତେ ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ଆଜି ରାଜଭବନରୁ ଭିଡ଼ିଓ କନ୍ଫରେନ୍ସ ଯୋଗେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଜାତୀୟ ଶିକ୍ଷାନୀତି-୨୦୨୦ ସଂପର୍କରେ ଭାବ ବିନିମୟ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ ମଧ୍ୟରେ ସମନ୍ୱୟ ଓ ସଂହତି ସ୍ଥାପନ କରିବା ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ । ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ ସମ୍ଭାବନା ଓ ସାମର୍ଥ୍ୟର ଚିହ୍ନଟ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମା ହେବା ଦରକାର । ସମୟର ଆହ୍ୱାନ ଓ ଆବଶ୍ୟକତାକୁ ଅଙ୍ଗୀଭୂତ କରି ଜାତୀୟ ଶିକ୍ଷାନୀତି ୨୦୨୦ର ପରିକଳ୍ପନା କରାଯାଇଛି । ଭାରତର ଏକ ସକାରାତ୍ମକ ରୂପାନ୍ତରରେ ଏହା ଉତ୍ପ୍ରେରକ ଭୂମିକା ଗ୍ରହଣ କରିବ । କ୍ଷମତା ସହିତ ଆଚରର ମଧୁର ସମନ୍ୱୟକୁ ଶୈକ୍ଷିକ ଉତ୍କର୍ଷ ଭାବରେ ଗ୍ରହ କରାଯାଏ । ନୂଆ ଜାତୀୟ ଶିକ୍ଷାନୀତି ସେହି ଦିଗରେ ଏକ ପଥୀକୃତ ପ୍ରୟାସ । ଏହାର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନରେ ଅନ୍ୟମାନଙ୍କ ମଧ୍ୟରେ କୁଳପତିମାନଙ୍କର ବିଶେଷ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ଏହାକୁ ଏକ ଜାତୀୟ କାର୍ଯ୍ୟ ଓ ଆହ୍ୱାନ ଭାବରେ ଗ୍ରହଣ କରି ନିଜର ଅନୁଭବ ଓ ଉପଲବ୍ଧି ଆଧାରରେ କାର୍ଯ୍ୟକାରୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନେ ସେମାନଙ୍କ ମତ ଓ ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦ ଭାରତର ସାମଗ୍ରିକ ପ୍ରଗତି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା । ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ପ୍ରାରମ୍ଭିକ ସୂଚନା ଦେବା ସହ ଆଲୋଚନା ପରିଚାଳନା କରିଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ଓ ଅତିରିକ୍ତ ସଚିବ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।






