କଟକ,(ବାଘୁଆବାର୍ତ୍ତା): ମହାନଦୀ ଉପରେ ଆଜି ସୁଦ୍ଧା ନିର୍ମିତ ଓଡ଼ିଶାର ୨୨ ଟି ସେତୁ ମଧ୍ୟରୁ ଦୀର୍ଘତମ ସେତୁର ନିର୍ମାଣ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଚାଲିଛି । ବାଙ୍କୀ ବୈଦେଶ୍ୱରଠାରୁ ବଡ଼ମ୍ବା ଗୋପିନାଥପୁର ପର୍ଯ୍ୟନ୍ତ ପ୍ରାୟ ୩.୧୩୯ କିଲୋମିଟର ଲମ୍ବ ଏହି ସେତୁର ସ୍ୱତନ୍ତ୍ରତା ହେଉଛି, ଏହାର ଆକାର ଇଂରାଜୀ ଅକ୍ଷର ‘ଟି’ ପରି । ବାଙ୍କୀ-ବଡ଼ମ୍ବା ମଧ୍ୟରେ ରହିଥିବା ପର୍ଯ୍ୟଟନ କ୍ଷେତ୍ର ସିଂହନାଥ ପୀଠକୁ ଯୋଡ଼ି ହୋଇଥିବାରୁ ଆକାଶ ମାର୍ଗରୁ ଏହାର ସ୍ଥିରଚିତ୍ର ‘ଟି’ ଭଳି ଦିଶୁଛି । ଏବେ ସୁଦ୍ଧା ଏହାର ନାମକରଣ ହୋଇନଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି । ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସେତୁ ରାଜ୍ୟର ସର୍ବବୃହତ ଏବଂ ଆକର୍ଷଣୀୟ ବ୍ରିଜ୍ ହେବ । ଏଥିରେ ୩୬.୫ ମିଟର ପରିମିତ ୮୬ଟି ସ୍ପାନ୍ (ଫୁକାର-ଗୋଟିଏ ପିଲାର୍ରୁ ଆଉ ଏକ ପିଲାର୍ର ବ୍ୟବଧାନ) ରହିଛି । ସେତୁର ପ୍ରସ୍ଥ ପ୍ରାୟ ସାଢ଼େ ସାତ ମିଟର ରହିଥିବା ବେଳେ ଉଭୟ ପାଶ୍ୱର୍ରେ ଦେଢ଼ ମିଟର ଲେଖାଏଁ ଫୁଟ୍ପାଥ୍ ରହିଛି । ସେତୁ ମଝିରୁ ସିଂହନାଥ ପୀଠକୁ ଯୋଡ଼ିବାକୁ ଆଉ ଏକ ସଂଯୋଗୀକରଣ ସେତୁ ନିର୍ମାଣ କରାଯାଇଛି । ପ୍ରାୟ ୨୪୦ ମିଟର ଲମ୍ବ ଏହି ସଂଯୋଗୀକରଣ ସେତୁ ପର୍ଯ୍ୟଟନ କ୍ଷେତ୍ର ସିଂହନାଥ ପୀଠକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ଏହି ସେତୁଟି ଯୋଗୁଁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା ହ୍ରାସ ପାଇବ । ବଡ଼ମ୍ୱା, ନରସିଂହପୁର, ବାଙ୍କୀ ଅଞ୍ଚଳର ଆରାଧ୍ୟା ମା’ ଚର୍ଚ୍ଚିକା, ମା’ ପ୍ରଗଳା, ମା’ ଭଟ୍ଟାରିକା ଓ ଶ୍ରୀ ଚମ୍ପାନାଥଙ୍କ ପୀଠ ସମେତ ସାତକୋଶିଆ ପରିବେଶ ପର୍ଯ୍ୟଟନ ତଥା ତ୍ରିକୁଟାଧାମ କୁହାଯାଉଥିବା ରାମନାଥ-ବୈଦ୍ୟନାଥ- ସିଂହନାଥର ଆଦୃତି ବୃଦ୍ଧି ପାଇବ । ବାଙ୍କୀ ଓ ବଡ଼ମ୍ବା ମଧ୍ୟରେ ପ୍ରାୟ ୩୫ କିଲୋମିଟର ଦୂରତା କମିଯିବ । ଏବେ ଯାତମୁଣ୍ଡିଆ ବ୍ରିଜ୍ ଦେଇ ସୁବର୍ଣ୍ଣପୁର ରାସ୍ତା ଦେଇ ବାଙ୍କୀ ଲୋକେ ବଡ଼ମ୍ବା ଯାଉଥିଲେ । କିନ୍ତୁ ଏବେ ବୈଦେଶ୍ୱର-ଗୋପିନାଥପୁରକୁ ସେତୁ ଯୋଡ଼ି ହେଉଥିବାରୁ ଏହି ରାସ୍ତାରେ କଲେ ପ୍ରାୟ ୨ ଘଣ୍ଟାର ରାସ୍ତା କମିଯିବ । ଅକ୍ଟୋବର ସୁଦ୍ଧା ଏହି ସେତୁକୁ ବ୍ୟବହାରଯୋଗ୍ୟ କରିବାକୁ ଉଦ୍ୟମ ଜାରି ରହିଛି । ରାଜ୍ୟର ଏହି ସର୍ବବୃହତ ସେତୁରେ ଅତିରିକ୍ତ କିଛି ସୁବିଧା ସୁଯୋଗ ସୃଷ୍ଟି କରିବା ଦିଗରେ ଦାବି ହୋଇଛି ।






