ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ରୋଟାରୀ କ୍ଲବ ତରଫରୁ ପାଳିତ ହୋଇ ଯାଇଛି । ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବସିରନ ବିବି ଯୋଗଦେଇ ଝିଅ ମାନେ ନିଜକୁ ଦୁର୍ବଳ ନ ଭାବିବା ପାଇଁ ପରାମର୍ଶ ଦେଇଥିଲାବେଳେ ସମ୍ମାନିତ ବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ ଅଧ୍ୟାପିକା ରିଙ୍କୁ ଖାଡେଙ୍ଗା କନ୍ୟା ସନ୍ତାନ ଟିଏ ଜନ୍ମ ହେଲେ ପିତାମାତା ମନଦୁଃଖ କରୁଥିବା ବେଳେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲାବେଳେ ପିତା ମାତା ଖୁସି ମନାନ୍ତି। ଝିଅ ଟିଏ ପୁଅ ଠାରୁ କୌଣସି ଗୁଣ ରେ କମ୍ ନୁହଁ। ଏହି ପ୍ରକାର ହୀନ ମାନସିକତାକୁ ଦୂର କରିବା ପାଇଁ ଉପସ୍ଥିତ ଗୁରୁମା ଓ ଝିଅ ମାନଙ୍କ ନିମିତ୍ତ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ବୈଭଶ୍ରୀ ପ୍ରିୟଦର୍ଶିନୀ ଓ ଏଚ୍ ଏ ଶାଶ୍ୱତ ଭାଷଣ ଦେଇ ଝିଅ ମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ। ପରିଶେଷରେ ରୋଟାରିଆନ ଲକ୍ଷ୍ମୀନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ।






