ସୋନପୁର, (ବାଘୁଆବାର୍ତ୍ତା): ପ୍ରେମରୁ ହତ୍ୟାକାଣ୍ଡ । ସୁପାରୀ ଦେଇ ପ୍ରେମିକକୁ ମାରିଦେଲା ପ୍ରେମିକା । ଗତ ଜାନୁଆରୀ ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର ଗାଁରେ ହୋଇଥିବା ଡମ୍ବରୁ ଅଧିକାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ପ୍ରେମିକା ଦେବଗଡ଼ ଜିଲ୍ଲାର । ଅନ୍ୟ ସହଯୋଗୀ ଦୁଇ ଜଣ ହେଲେ ବୀରମହାରାଜପୁର ବ୍ଲକର । ପୋଲିସର ସୂଚନା ଅନୁଯାୟୀ, ଦେବଗଡର ଯୁବତୀ ଓ ଡମ୍ବରୁଙ୍କ ମଧ୍ୟରେ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଡମ୍ବରୁ ରାଉରକେଲାର ଜଣେ ଯୁବତୀଙ୍କୁ ଭଲ ପାଉଥିବା ପ୍ରେମିକା ଜାଣିପାରିଥିଲେ । ଫଳରେ ଡମ୍ବରୁଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରି ଦୁଇ ଜଣଙ୍କୁ ସୁପାରି ଦେଇଥିଲେ । ୪୦ ହଜାର ଟଙ୍କାରେ ଏହି ହତ୍ୟା ଡ଼ିଲ୍ ହୋଇଥିଲା । ଫୋନ୍ ପେ’ ମାଧ୍ୟମରେ ୧୦ ହଜାର ଟଙ୍କା ଅଗ୍ରିମ ଦେଇଥିଲା ପ୍ରେମିକା । ପୂର୍ବ ଯୋଜନା ମୁତାବକ ଡମ୍ବରୁଙ୍କୁ ପାର୍ଟି କରିବା ବାହାନାରେ ଡାକି ଦୁଇ ଜଣ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ସ୍କୁଟି ଓ ଏକ ଭଙ୍ଗା ସିମ୍ ଜବତ କରିଛି ପୋଲିସ । ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।





