ଘର ବଦଳରେ ମନ୍ଦିରରେ ରହୁଛି ୧୩ ବର୍ଷର ବାଳକ
ନୟାଗଡ଼, ଦଶପଲ୍ଲା : ୧୩ ବର୍ଷର ବାଳକ କ୍ଷେତ୍ରରେ ଘଟୁଛି ଅଲୈାକିକ ଘଟଣା । ଯାହା ଫଳରେ ବାଳକକୁ ଘରେ ନରଖି ପରିବାର ଲୋକେ ମନ୍ଦିରରେ ରଖୁଥିବା ଜଣାପଡ଼ିଛି । ବିଜ୍ଞାନ ଯୁଗରେ ଏହା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଏଭଳି ଘଟଣା ସତ୍ୟ ବୋଲି କହିଛନ୍ତି ଗ୍ରାମବାସୀ । ସୂଚନାନୁସାରେ, ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ଗ୍ରାମର ଛକ ଉପରେ ବସବାସ କରୁଥିବା ରଂଜନ କୁମାର ନନ୍ଦ(ବାପିନା)ଙ୍କ ବଡପୁଅ ରୁଦ୍ର ପ୍ରତାପ ନନ୍ଦ(୧୩)ଙ୍କ କ୍ଷେତ୍ରରେ ଏଭଳି ଅଲୈାକିକ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ରୁଦ୍ରର ଶରୀର ସାରା ଅଦୃଶ୍ୟ ଭାବେ ଲାଗି ଯାଉଛି ମେଂଚା ମେଂଚା ହୋଇ ବିଷ୍ଠା । ରୁଦ୍ର ଯାହାକୁ ଛୁଇଁ ଦେଉଛି ତା ଦେହରେ ମଧ୍ୟ ଅଦୃଶ୍ୟ ଭାବେ ବିଷ୍ଠାରେ ବୁଡି ଯାଉଛି । ସାଙ୍ଗସାଥୀ ହେଉ କି ସାହି ପଡିଶା ଏହାକୁ ନେଇ କେହି ବି ରୁଦ୍ରର ଆଉପାଖ ମାଡୁ ନାହାଁନ୍ତି । ଘରଦ୍ୱାର ଓ ଲୁଗାପଟା ବିଷ୍ଠା ଦୁର୍ଗନ୍ଧରେ ପରିପୂଣ୍ଣ ହୋଇଯାଉଛି । ବିଦ୍ୟାଳୟରେ ସାଙ୍ଗସାଥି ପାଖ ମାଡୁ ନଥିବା ବେଳେ ଶିକ୍ଷକ ମଧ୍ୟ ଏଭଳି ଘଟଣାକୁ ନେଇ ତାବୁଜ୍ ହୋଇ ରହୁଛନ୍ତି । ଦୁଇ ମାସ ହେଲା ପାଠଢ଼ାରେ ଡୋରୀ ବନ୍ଧା ହୋଇ ରହିଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଭଗବାନଙ୍କ ଭରସାରେ ରୁଦ୍ରକୁ ଛାଡ଼ି ଦେଇଛନ୍ତି ପରିବାର । ଗାଁ ମନ୍ଦିରରେ ଏକାକି ଜୀବନ ବିତାଉଛନ୍ତି ରୁଦ୍ର । ରୁଦ୍ରଙ୍କ ବାପା ରଂଜନଙ୍କ କହିବା ଅନୁଯାୟୀ ଗତ ଆଶ୍ୱିନ ମାସ ତଥା ଅକ୍ଟୋବର ମାସରେ ପ୍ରଥମେ ଘରର ବିଭିନ୍ନ ସ୍ଥାନରେ ବିଷ୍ଠା ଲାଗିବା ସହ ଦୁର୍ଗନ୍ଧ ହୋଇଥିଲା । ଏହାକୁ ନେଇ କାରଣ ଖୋଜା ଯାଇଥିଲେ ମଧ୍ୟ କିଛି ଜଣାପଡ଼ି ନଥିଲା । ଏଭଳି କିଛିଦିନ ପରେ ଦେଖିବା ବେଳକୁ ରୁଦ୍ର ଯେଉଁ ସ୍ଥାନରେ ହାତ ମାରୁଛନ୍ତି ସେହି ସ୍ଥାନରେ ମେଂଚାମେଂଚା ହୋଇ ବିଷ୍ଠା ଲାଗୁ ଥିବା ଦେଖିବାକୁ ମିଳିଥିଲା । ଏପରିକି ବିଦ୍ୟାଳୟକୁ ଯାଇଥିବା ବେଳେ ବିଭିନ୍ନ ସାଙ୍ଗସାଥୀଙ୍କ ସହ ଖେଳିବା ସମୟରେ ହେଉକି ପାଠ ପଢିବା ସମୟରେ ଯାହା ସହିତ ଟିକିଏ ଲାଗି ଗଲେ ସେମାନଙ୍କ ପୋଷାକ ସାରା ବିଷ୍ଠାରେ ଭର୍ତି ହୋଇ ପଡ଼ିଥିଲା । ଏକଥା ଶିକ୍ଷକ ଜାଣିବା ପରେ ଶିକ୍ଷକଙ୍କ ହାତରେ ମଧ୍ୟ ବିଷ୍ଠା ଲାଗିଥିଲା । ଏହାପରେ ରୁଦ୍ରଙ୍କ ପାଠପଢ଼ା ବନ୍ଦ ରହିଛି । ମାତ୍ର ଘରେ ଦୈନିକ ଏଭଳି ଘଟଣା ଘଟି ଚାଲିଥିବା ବେଳେ ଖବର ପାଇ ସାହି ପଡିଶାଙ୍କ ଭିଡ ଜମୁଥିବା ବେଳେ ଯିଏ ରୁଦ୍ରଙ୍କୁ ଛୁଇଁଲା କିମ୍ବା ଦେଖିକି ଘୃଣାକଲା ସେମାନଙ୍କ ଦେହରେ ମଧ୍ୟ ମେଂଚାମେଂଚା ହୋଇ ବିଷ୍ଠା ଲାଗି ରହୁଥିବା ବେଳେ ଆଉ କେହିବି ପାଖ ମାଡୁ ନାହାଁନ୍ତି । ଗ୍ରାମର ଅନେକ ବ୍ୟକ୍ତି ସ୍ପର୍ଶକରି ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼ିଥିବା ପ୍ରକାଶ କରିଛନ୍ତି । ଘରେ ଏକାକି ଖାଇବା ସମୟରେ ମଧ୍ୟ ହାତସାରା ବିଷ୍ଠା ଲାଗି ରହୁଛି । ମାତ୍ର ରୁଦ୍ରଙ୍କ ବାପାଙ୍କ କ୍ଷେତ୍ରରେ ଏଭଳି ଘଟୁ ନଥିବା ଜଣାପଡ଼ିଛି । ରୁଦ୍ର ବାପାଙ୍କୁ ସ୍ପଷ୍ଟ କଲେ କି ତାଙ୍କ ସହିତ ମିଶିଲେ କିଛି ଘଟୁନଥିବା ଜଣାପଡ଼ିଛି । ରୁଦ୍ରଙ୍କୁ ଗୁଣି ଗାରେଡ଼ି ହୋଇଥିବା ନେଇ ବାପା ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଅଂଚଳରୁ ପ୍ରାୟ ୩୦ ଜଣ ତାନ୍ତ୍ରିକଙ୍କୁ ଡାକି ପୂଜା ପାଠ କରିଥିବା ବେଳେ କିଛି ବି ସୁଫଳ ମିଳୁନାହିଁ । କେବଳ ବାପା ଧରିବା ସମୟରେ କିମ୍ବା ଗାଁର ଶିବ ମନ୍ଦିର ବେଢ଼ା ଭିତରେ ଥିବା ସମୟରେ ରୁଦ୍ର ଯାହାକୁ ଛୁଇଁଲେ କିଛି ହେଉନଥିବା ଦେଖିବାକୁ ମିଳିଛି । ଏପରିକି କିଛି ଦିନ ଧରି ସେ ମନ୍ଦିରରେ ରାତି ବିତାଇବାକୁ ପଡିଛି । ଏବେ ରଂଜନ ତାଙ୍କୁ ଧରି ଶୋଉଥିବା ବେଳେ ତାଙ୍କ ହାତଧରି ଗାଧୋଇ ଦେବା ସହ ନିତ୍ୟକର୍ମ ସାରି ପୁଣି ମନ୍ଦିର ବେଢ଼ାରେ ଛାଡ଼ି ଦେଇ ନିଜ ଜଞାଳରେ ବାହାରୁଥିବା କହିଛନ୍ତି । କିନ୍ତୁ ବଡକଥା ହେଉଛି ଯଦି ମନ୍ଦିର ବେଢ଼ା ମଧ୍ୟରେ ପଡିଥିବା କିଛି କପଡ଼ାକୁ ରୁଦ୍ର ବାହାରକୁ ଫୋପାଡୁଛନ୍ତି ସେଥିରେ ମଧ୍ୟ ମେଂଚାମେଂଚା ହୋଇ ବିଷ୍ଠା ଲାଗୁଥିବା ଦେଖିବାକୁ ମିଳିଛି । ରୁଦ୍ରଙ୍କ କହିବା ଅନୁଯାୟୀ କିଏ ଜଣେ ବ୍ୟକ୍ତି ତାଙ୍କୁ ସବୁବେଳେ ଡାକୁଛନ୍ତି । ଯାହାକୁ ସେ ନିଜ ଆଖିରେ ଦେଖି ପାରୁଥିବା କହିଛନ୍ତି । ଏହାକୁ ନେଇ ଗ୍ରାମ ତଥା ଆଖପାଖ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । ଏନେଇ ହେତୁବାଦୀ ଦେବେନ୍ଦ୍ର ସୂତାରଙ୍କୁ ପଚାରିବାରେ, ସେଠାକୁ ଯାଇ ଦେଖିବା ପରେ ଯାହା କିଛି ଜାଣି ହେବ ବୋଲି କହିଛନ୍ତି ।







