ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ତଳୁ ଉପର ଯାଏଁ ଚାଲିଛି ହରଡ଼କମ୍ପ । ଗତକାଲି ରାତିରେ ପୁଲିସ ଦ୍ୱାରା ଧରା ହୋଇଥିବା ୬ କ୍ୱିଣ୍ଟାଲ ବୋଝେଇ ଗଞ୍ଜେଇ ଗାଡ଼ି ଉଭାନ ହୋଇଯାଇଛି । ସୂଚନାନୁସାରେ, ବାଣିଗୋଚ୍ଛା ଥାନା ଅଂଚଳରେ ଗତକାଲି ରାତିରେ ଖଜୁରିପଦା ଅଂଚଳରୁ ଆସୁଥିବା ଏକ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନକୁ ପୁଲିସ ଧରିଥିବା ବେଳେ ଆଗରେ ଥିବା ଏସ୍କର୍ଟ ସ୍କର୍ପଓ ଗାଡ଼ି ଖସି ଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକଙ୍କ ଆଖି ସାମନାରେ ଘଟିଥିବା ବେଳେ ଧରା ହୋଇଥିବା ଗାଡ଼ିରେ ୬ କ୍ୱିଣ୍ଟାଲ୍ରୁ ଉର୍ଦ୍ଧ୍ୱ ଗଞ୍ଜେଇ ରହିଥିଲା । ମାତ୍ର ରାତିକ ଭିତରେ ଗାଡ଼ି କୁଆଡ଼େ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବାଣିଗୋଚ୍ଛା ଥାନା ଅଧିକାରୀଙ୍କୁ ପଚାରିବାରେ, ସେ ଛୁଟିରେ ଥିବା କହିଛନ୍ତି । ଏହି ଘଟଣା ଶୁଣିବା ପରେ ସେ ତଳିଆ କର୍ମଚାରୀଙ୍କୁ ପଚାରିଥିଲେ ମଧ୍ୟ କେହି ଘଟଣାକୁ ସ୍ୱୀକାର କରୁନଥିବା କହିଛନ୍ତି । ଯାହାକୁ ନେଇ ଜିଲ୍ଲାରେ ତମାତ୍ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ପଛରେ ତଳିଆ କର୍ମଚାରୀ ଏବଂ କିଛି ବରିଷ୍ଠ ଅଧିକାରୀଙ୍କ ଖେଳ ଥିବା ସନ୍ଦେହ ପ୍ରକାଶ ପାଉଛି ।





