ନୟାଗଡ଼,(ବାଘୁଆବାର୍ତ୍ତା): ନିଶା କାରବାର ଉପରେ ଜିରୋ ଟଲରେନ୍ସ ନୀତି ଆପଣା ଯାଇଥିବା ଏସଡିପିଓ ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି । ଗୁରୁବାର ଅପରାହ୍ନରେ ଟାଉନଥାନା ପୁଲିସ ଗୋଟିଏ କାରରୁ ୭୦ କେଜି ଗଞ୍ଜେଇ ଜବତ କରିଥିବା ନେଇ ଆଜି ଟାଉନଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଲେଙ୍କୁଡ଼ିପଡ଼ା ଛକରେ ରାସ୍ତାରୋକ ବେଳେ ଟାଉନଥାନା ପୁଲିସ ଉପସ୍ଥିତ ରହିଥିବା ବେଳେ ଗଞ୍ଜେଇ ବୋଝେଇ ହୋଇ ଆସୁଥିବା ଏକ କାର ହଡ଼ବଡ଼େଇ ଯାଇଥିଲା । ଏହାର ଡ୍ରାଇଭର କନ୍ଧମାଳ ଜିଲ୍ଲାର ଆଶିଷ କୁମାର ପ୍ରଧାନ ଗାଡ଼ି ରଖି ବିଲକୁ ଦୈାଡ଼ି ପଳେଇବାକୁ ଚେଷ୍ଟା କରିଥିଲା । ପୁଲିସ ଚତୁରତାର ସହ ତାକୁ ଧରିଥିବା ବେଳେ କାରକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା । ପୁଲିସ ଉକ୍ତ କାରରୁ ୩ ବସ୍ତା ତଥା ୭୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଅଭିଯୁକ୍ତ ଆଶିଷକୁ ଗିରଫ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ନୟାଗଡ଼ ଟାଉନଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା, ଏସଆଇ ଧର୍ମେନ୍ଦ୍ର ଶିଆଳ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।





