ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ରେଳବାଇ ପୁଲିସ ରାଜଧାନୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ କରିବା ସହିତ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ନବନୀତ କୁମାର (୨୮)। ତାଙ୍କ ଘର ବିହାରର ବୈଶାଳୀ ଜିଲାର ଖୋଜପୁର ଗ୍ରାମରେ। ତାଙ୍କ ଠାରୁ ୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ନବନୀତ ଦୁଇଟି ବ୍ୟାଗରେ ଗଞ୍ଜେଇ ନେଇ ଭୁବନେଶ୍ଵର ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସରେ ଚଢ଼ିଥିଲେ। ଭୁବନେଶ୍ୱର ଷ୍ଟେସନରେ ମୁତୟନ ଆରପିଏଫ କର୍ମଚାରୀ ନବନୀତଙ୍କ ହାବଭାବକୁ ସନ୍ଦେହ କରିଥିଲେ। ଟ୍ରେନ ଭୁବନେଶ୍ଵର ଷ୍ଟେସନ ଛାଡ଼ିବା ପରେ ଭଦ୍ରକ ରେଳବାଇ ପୁଲିସକୁ ଏ ବାବଦରେ ଭୁବନେଶ୍ୱର ଆରପିଏଫ ପକ୍ଷରୁ ସୂଚନା ଦିଆଯାଇଥିଲା। ରାଜଧାନୀ ଏକ୍ସପ୍ରେସ ଭଦ୍ରକରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କୁ ଟ୍ରେନ ଭିତରେ ଠାବ କରାଯାଇଥିଲା। ଆଉ ଯାଞ୍ଚ ବେଳେ ତାଙ୍କ ବ୍ୟାଗରୁ ଗଞ୍ଜେଇ ମିଳିଥିଲା। ଭଦ୍ରକ ରେଳବାଇ ଥାନାରେ ଏକ ମାମଲା ରୁଜୁ କରାଯାଇ ନବନୀତଙ୍କୁ କୋର୍ଟ ଚାଲାଣ କରାଯାଇଛି।





