ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ପୋଲିସ ୩୦କିଲୋ ଗଞ୍ଜେଇ ଓ ଗୋଟିଏ ଇଣ୍ଡିଗୋ ଗାଡ଼ି ଜବତ କରିବା ସହ ଶଳା ଭିଣୋଇଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଭିଣୋଇ ହେଉଛନ୍ତି ଅମରଜିତ ଦ୍ଦୀପ(୩୬) ଓ ଶଳା ମାନସ ଦିଗା(୨୫) । ଫୁଲବାଣୀ ଅଞ୍ଚଳରୁ ଏକ ଇଣ୍ଡିଗୋ ଗାଡ଼ି ନମ୍ବର ଓଡି ୩୩ ୭୬୫୬ରେ ଶଳା ମାନସ ଓ ଭିଣୋଇ ଅମରଜିତ ଗଞ୍ଜେଇ ଭୁବନେଶ୍ୱର ଖଣ୍ଡଗିରି ଚୋରା ଚାଲାଣ କରୁଥିଲେ । ତେବେ ନୟାଗଡ଼ ଅବକାରୀ ପୋଲିସ ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟରେ ଚେକିଂ କରୁଥିବା ବେଳେ ଉକ୍ତ ଗାଡ଼ିଟି ଦ୍ରୁତଗତିରେ ଆସୁଥିଲା ତେବେ ଅବକାରୀ ପୋଲିସ ହାତ ଦେଖାଇଥିଲେ ମଧ୍ୟ ଗାଡ଼ି ଟି ରଖିନଥିଲା । ଅବକାରୀ ପୋଲିସ ପିଛା କରି ଦକ୍ଷିଣକାଳୀ ମନ୍ଦିର ନିକଟରେ ଉକ୍ତ ଗାଡ଼ିକୁ ରୋକିବାରେ ସକ୍ଷମ ହୋଇଥିଲା । ତେବେ ଅବକାରୀ ପୋଲିସ ଗାଡ଼ିଟି ତନଖି କରିବା ପରେ ଉକ୍ତ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇ ଉଭୟ ଶଳା ଭିଣୋଇ ଓ ଗାଡ଼ିକୁ ଅବକାରୀ ଥାନାକୁ ଆଣି ପଚାର ଉଚୁରା କରିବା ପରେ ସତ ଓଗାଳିଥିଲେ ଶଳା ଭିଣୋଇ । ସେ ଫୁଲବାଣୀରୁ ଗଞ୍ଜେଇ ନେଇ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ବିକ୍ରି କରିଥାନ୍ତେ । ମାନସଙ୍କ ଘର ଫୁଲବାଣୀ ଓ ଅମରଜିତର ଘର ବୌଦ୍ଧ ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଜବତ ହୋଇଥିବା ଗଞ୍ଜେଇ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀ ସୂଚନା ଦେବା ସହ ସମସ୍ତ କର୍ମଚାରୀଙ୍କୁ ଏଭଳି ତନଖି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।





