ବୌଦ୍ଧ (ବାଘୁଆବାର୍ତ୍ତା): ଗଞ୍ଜେଇ ମାଫିଆଙ୍କ ବୁଦ୍ଧିକୁ ତାରିଫ କରିବାକୁ ପଡିବ । ଗଞ୍ଜେଇ ବୋହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଗଞ୍ଜେଇ ଉପରେ ବାଇଗଣ ରଖି କୋଲକାତାକୁ ଚାଲାଣ କରାଯାଉଥିଲା। ଦୁର୍ଭାଗ୍ୟକୁ ଚାଲାଣ ହେଉଥିବା ଗଞ୍ଜେଇ ପୁଲିସ ହାବୁଡ଼ରେ ପଡ଼ିଗଲା। ଏପରି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି। ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଗୋଟିଏ ବାଇଗଣ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ପୁଲିସ ଅଟକାଇଥିଲା। ପରେ ଗାଡିଟିକୁ ଯାଞ୍ଚ କରିବାରୁ ୪୦ କିଲୋଗ୍ରାମ୍ ଗଞ୍ଜେଇ ବାହାରିଥିଲା। ପୁଲିସ ଗଞ୍ଜେଇ ଓ ଭ୍ୟାନ୍ଟିକୁ ଜବତ କରିଥିଲା। ଏହି ମାମଲାରେ ୫ ଜଣକୁ ଗିରଫ କରି କରିଥିଲା। ଥାନା ଅଧିକାରୀ ସୁବାଷ ରାୟଗୁରୁଙ୍କ ନେତୃତ୍ୱରେ ହୋଇଥିଲା ଚଢ଼ଉ। ଜବତ୍ ପିକ୍ଅପ୍ ଭ୍ୟାନ୍ରେ ତଳେ ଗଞ୍ଜେଇ ଓ ଉପରେ ବାଇଗଣ ରଖାଯାଇଥିଲା। ଏହି ଗଞ୍ଜେଇ ବୌଦ୍ଧରୁ କୋଲକତା ଚାଲାଣ ହେଉଥିଲା। ତେବେ କେତେଦିନ ଧରି ଗଞ୍ଜେଇ ଚାଲାଣ ହେଉଥିଲା? ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି? ପୁଲିସ ତାହା ଉପରେ ତଦନ୍ତ ଚଳାଇଛି।






