ଜୟପୁର, (ବାଘୁଆବାର୍ତ୍ତା): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଛି ଜୟପୁର ସଦର ପୋଲିସ। ଜବତ ଗଞ୍ଜେଇର ପରିମାଣ ୧ ଟନ୍ ୫୦ କେଜି ହେବ । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ। ପୂର୍ବରୁ ଗଞ୍ଜେଇ ମାଫିଆମାନେ କେତେବେଳେ ପରିବା ବୋଝେଇ ଟ୍ରକ ତ ଆଉ କେତେବେଳେ ମୁଢି ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏମାନଙ୍କୁ କାବୁ କରିଛି ପୋଲିସ। ଏଥର ଏକ ପିକଅପ ଭ୍ୟାନ ଯୋଗେ ପଟାଙ୍ଗୀଠାରୁ ଜୟପୁରକୁ ଗଞ୍ଜେଇ ଆଣି ସେଠାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ମାଫିଆମାନେ ପରିବହନ କରିବାକୁ ଯୋଜନା କରୁଥିଲେ । ହେଲେ ମାଫିଆଙ୍କ ଯୋଜନାକୁ ଫଣ୍ଡ କରିଦେଇଛି ଜୟପୁର ସଦର ପୋଲିସ। ଜୟପୁର ସହରକୁ ପହଞ୍ଚିବା ପୂର୍ବରୁ ଜୟପୁର ଘାଟିରେ ମାଡିବସି ଗାଡିକୁ ଜବତ କରିଛି ପୋଲିସ । ଗାଡିରୁ ଜଣ ଦଲାଲକୁ ଗିରଫ କରିଥିବା ବେଳେ ତାଙ୍କଠାରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ମଧ୍ୟ ଜବତ କରିଛି ଜୟପୁର ସଦର ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ସେମିଳିଗୁଡା ଅଞ୍ଚଳର ସଞ୍ଜୟ ଖରା ବୋଲି ଜଣାପଡିଛି। ଗଞ୍ଜେଇ ମାଫିଆମାନେ ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଲୋଡ୍ କରି ଅନ୍ୟ ରାଜ୍ୟକୁ ପରିବହନ କରି ମାଲେମାଲ ହୋଇଥାନ୍ତେ । କିନ୍ତୁ ପୋଲିସ ଠିକ୍ ସମୟ ତାକୁ କାବୁ କରିଛି ବୋଲି ସୂଚନା ଦେଇଛନ୍ତି ଜୟପୁର SDPO ଅରୂପ ଅଭିଶେକ ବେହେରା ।





