ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ଯୁବତୀଙ୍କ ନାମ ମମତା ରାଉତ(୨୬) ବୋଲି ଜଣା ଯାଇଛି ଗତକାଲି ରାତିରେ ସେ ସ୍ବଭାବିକ ଭାବେ ପରିବାରବର୍ଗଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରହସ୍ୟଜନକ ପରିସ୍ଥିତିରେ ଆଜି ସକାଳୁ ମମତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ପ୍ରହ୍ଲାଦ ରାଉତ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି। ମମତାଙ୍କ ମୁଣ୍ଡକୁ କଟୁରୀରେ ଏକାଧିକ ଚୋଟ ପକାଯାଇଥିବା ଦେଖିବାକୁ ମିଳିଛି। ଘରେ ପଶି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଲା ଆଉ ପରିବାରବର୍ଗ ଜାଣି ପାରିଲେନି କେମିତି, ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ରାତିରେ ଘରର ଦୁଇପାର୍ଶ୍ବରୁ କବାଟ ବନ୍ଦ ଥିବା ଖୋଦ ପରିବାର ଲୋକ କହିଛନ୍ତି । ମମତାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ବେଳେ, ପରିବାର ଲୋକ ଏହାକୁ ବିରୋଧ କରୁଥିବା ପୁଲିସ ଠାରୁ ସୂଚନା ମିଳିଛି । ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି । ଗଣିଆ ଥାନା ଓଆଇସି ଜୟପ୍ରକାଶ ପରିଡ଼ା ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।





