ନୟାଗଡ଼,(ବାଘୁଆବାର୍ତ୍ତା): ଟ୍ରକ କଣ୍ଟେନରରରେ ଜଣେ ମହିଳାଙ୍କୁ ୨୦ ଦିନ ଧରି ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଜଣାଯାଇଛି । ଏଭଳି ଅଭାବନୀୟ ଘଟଣା ଟ୍ରକ କଣ୍ଟେନର ଭିତରେ ଘଟିଛି । ମହିଳା ଜଣଙ୍କ ଖସି ଆସି ପୁଲିସ ପାଖରେ ପହଞ୍ଚିଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବଜାରରୁ ଅପହୃତା ଜଣେ ମହିଳାଙ୍କୁ ତାଙ୍କ ଇଛା ବିରୁଦ୍ଧରେ ଗୋଟିଏ ଟ୍ରକ କଣ୍ଟେନରରେ ଦୀର୍ଘ ୨୦ ଦିନ ଦୁଷ୍କର୍ମ କରା ଯାଇଥିବା ଘଟଣା ସାମନାକୁ ଆସିଛି । ମହିଳା ଜଣଙ୍କ କୌଶଳରେ ଖସି ଆସି ଫତେଗଡ଼ ଥାନାରେ ପହଞ୍ଚିଥିବା ଜଣାଯାଇଛି । ତାଙ୍କୁ ଡାକ୍ତରୀମାଇନା କରିବା ପରେ ଜଳେଶ୍ବର ପୁଲିସକୁ ହସ୍ତାନ୍ତର କରାଯାଇଛି। ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଖୁଲଡ଼ା ବଜାରରେ ରହୁଥିବା ବାଲିଆପାଳ ଥାନା ପ୍ରଜାମକୁନ୍ଦ ଗ୍ରାମର ସୁଦୀପ ଦେଙ୍କ ପତ୍ନୀ ମଧୁମିତା ଦେ(୨୬) ଗତ ମାର୍ଚ୍ଚ ମାସ ୨୪ ତାରିଖ ଦିନ ୨ ଟା ସମୟରେ ବଜାରକୁ ଯାଉଥିଲେ। ତାଙ୍କୁ ଏକ ବୋଲେରୋ ଗାଡ଼ିରେ କିଛି ବ୍ୟକ୍ତି ଅପହରଣ କରି ନେଇଥିଲେ । ତାଙ୍କର ୪ ବର୍ଷର ଏକ ଝିଅ ଘରେ ରହିଛି। ଅପହରଣ ପରେ ତାଙ୍କୁ ଏକ ଫୁଲବଡ଼ି ଟ୍ରକ କଣ୍ଟେନରରେ ରଖା ଯାଇ ତାଙ୍କ ଇଛା ବିରୁଦ୍ଧରେ ଦୀର୍ଘ ୨୦ ଦିନକାଳ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ବ୍ୟକ୍ତି ଏଭଳି ଅସାମାଜିକ କାର୍ୟ୍ୟ କରିଥିବା ମହିଳାଙ୍କ ଅଭିଯୋଗରୁ ଜଣାଯାଇଛି । ଗତ ୧୩ ତାରିଖ ରାତିରେ ଟ୍ରକଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ରେଳ ଷ୍ଟେସନ ନିକଟରେ ଥିବା ସମୟରେ କଣ୍ଟେନରରେ ତାଲା ପଡ଼ି ନଥିଲା । ତାହାର ସୁଯୋଗ ନେଇ ମହିଳା ଖସି ଆସିଥିଲେ । ରାତିରେ ଦୌଡ଼ି ଦୌଡ଼ି ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଜଗନ୍ନାଥପ୍ରସାଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିବା ସୂଚନା ମିଳିଛି । ୧୪ ତାରିଖ ସକାଳୁ ମହିଳା ଜଣକ ଜଗନ୍ନାଥପ୍ରସାଦ ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିବା ପରେ ଫତେଗଡ଼ ଥାନା ଅଧିକାରୀ ଗିରିଜାନନ୍ଦନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ତାଙ୍କର ଡାକ୍ତରୀମାଇନା କରାଯିବା ସହ ମହିଳାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀଙ୍କଠାରୁ ସୂଚନା ମିଳିଛି । ୭୨/୨୧ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ମହିଳାଙ୍କର ଡାକ୍ତରୀମାଇନା କରାଯାଇଛି । ଫତେଗଡ଼ ପୁଲିସ ଆଜି ମହିଳାଙ୍କୁ ଜଳଶ୍ୱର ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।






