ଭୁବନେଶ୍ବର, (ବାଘୁଆବାର୍ତ୍ତା): କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗଙ୍କ ସହ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଗମାଙ୍ଗ ପରିବାର ଯୋଗ ଦେଇଛନ୍ତି । ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଖବର ଅନୁଯାୟୀ, ଗିରିଧର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ମାତ୍ର ତାଙ୍କୁ କିମ୍ବା ତାଙ୍କ ପରିବାରକୁ କୌଣସି ଟିକେଟ୍ ମିଳିନଥିଲା । ପରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗ ଦେଇଥିଲେ । ନିଜ ଆଡୁ ପୁଣି କଂଗ୍ରେସରେ ମିଶିବା ପାଇଁ ଦୀର୍ଘଦିନ ହେବ ଗମାଙ୍ଗ ପରିବାର ପକ୍ଷରୁ ଉଦ୍ୟମ କରାଯାଉଥିଲା । ତେବେ ନୂଆ ପ୍ରଭାରୀ ଭାବେ ଅଜୟ କୁମାର ଯୋଗ ଦେବା ପରେ ମିଶ୍ରଣ ପର୍ବକୁ ବ୍ୟାପକ କରାଯାଇଥିଲା । ଗମାଙ୍ଗ ପରିବାର କଂଗ୍ରେସରେ ମିଶିବା ପାଇଁ ୪ ଦିନ ହେବ ଦିଲ୍ଲୀରେ ଡେରା ପକାଇଥିଲେ । ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି ଗମାଙ୍ଗ ପରିବାର ।






