ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ କରିବେ । ସକାଳ ୧୧ଟାରେ ନବୀନ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ୍ରେ ହେଲିକପ୍ଟର୍ ଯୋଗେ ଓହ୍ଲାଇବେ । ଏହି ୪୫ ମିନିଟ୍ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଅନେକ ପ୍ରକଳ୍ପ ଉଦ୍ଘାଟନ କରିବେ ଏବଂ ଆଉ କେତେକ ପ୍ରକଳ୍ପ ପାଇଁ ଶୁଭ ଦେବେ । ଏନେଇ ଉଭୟ ପ୍ରଶାସନ ଏବଂ ଦଳୀୟସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ସଭାସ୍ଥଳକୁ ମନା ହୋଇଥିବାରୁ ସମସ୍ତ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ସହ ସାମ୍ବାଦିକଙ୍କ କୋଭିଡ୍ ଟେଷ୍ଟ୍ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଜିଲ୍ଲାର ବଛା ବଛା ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିବା ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି । ଗଜପତି ଷ୍ଟାଡିୟମ୍ରେ ଆୟୋଜିତ ସଭାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କେତେକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ୭୯୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ସକାଳ ପ୍ରାୟ ୧୧ଟା ୪୫ ମିନଟ୍ରେ ସେ ଫେରିଯିବେ । ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ପରେ ୯ ଜଣ ମନ୍ତ୍ରୀ ଓ ୧୨ ଜଣ ରାଜ୍ୟସ୍ତରୀୟ ନେତା ଗଜପତି ଜିଲ୍ଲାରେ ରହି ସ୍ଥାନୀୟ ନେତାଙ୍କ ସହ ମିଶି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ । ଏଥିପାଇଁ ରାଜ୍ୟସ୍ତରୀୟ ନେତାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଏମାନେ ୪ରୁ ୭ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯାଇ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବା କାର୍ୟ୍ୟକ୍ରମ ରହିଥିବା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୂଚନା ଦେଇଛନ୍ତି । ଜିଲ୍ଲାର ୧୬୪ଟି ସ୍ଥାନରେ ବିତରଣ ହେବ ୯୬ ହଜାର କାର୍ଡ । ଯେଉଁଥିରେ ୪ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଉପକୃତ ହେବେ । ମନ୍ତ୍ରୀ ଓ ନେତୃବୃନ୍ଦ ଜିଲ୍ଲାରେ ୪ ଦିନ ରହି ଲୋକଙ୍କୁ କାର୍ଡ ବାଣ୍ଟିବେ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ।






