ବାଲେଶ୍ଵର, (ବାଘୁଆବାର୍ତ୍ତା): ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼। ବାଲେଶ୍ଵର ବସ୍ତା ଥାନା ଚକରୀ ଗ୍ରାମରେ ଏହି ଘଟଣା ଘଟିଛି। ଗୁଳିମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ବସ୍ତା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଶ୍ରୀରାମପୁର ପଞ୍ଚାୟତ ନିମା ଗାଁର ସୁଧାଂଶୁ ଶେଖର ଜେନା ଓ ତାଙ୍କ ମାଉସୀ ପୁଅ ଭାଇ ଚିନ୍ମୟ ସୋମବାର ରାତି ପ୍ରାୟ ୧୦ଟାରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଚକରୀ ଗାଁରେ ୨ଟି ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଗାଡିକୁ ଅଟକାଇଥିଲେ। ସୁଧାଂଶୁ ସାଇଡ୍ ମାଗିବାରୁ ସେମାନେ ସାଇଡ୍ ଦେଇ ନଥିଲେ। ଓଲଟା ସୁଧାଂଶୁଙ୍କ ଗାଡି ଛଡାଇବାକୁ ପ୍ରଚେଷ୍ଟା କରିଥିଲେ। ଏଥିରେ ବାଧା ଦେବାରୁ ସୁଧାଂଶୁଙ୍କୁ ଗୁଳି ମାରି ୩ ଯୁବକ ଫେରାର ହୋଇଯାଇଥିଲେ। ସୁଧାଂଶଙ୍କ ଆଣ୍ଠୁରେ ଗୁଳି ବାଜି ସେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବସ୍ତା ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବସ୍ତା ଥାନାରେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।





