ନୟାଗଡ଼,(ବାଘୁଆବାର୍ତ୍ତା): ସୁଧ ଟଙ୍କାକୁ ନେଇ ଗଦାଧର ପ୍ରସାଦରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଶାନ୍ତିଲତା ରାଉତକୁ ଗିରଫ୍ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବାପ ପୁଅ ଫେରାର ଥିଲେ । ରମେଶ ମୁଦୁଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଇଟାମାଟି ପୁଲିସକୁ ଚ୍ୟାଲେଞ୍ଜ ଥିଲା । ଇଟାମାଟି ପୁଲିସର ତତପରତା ଯୋଗୁଁ ହତ୍ୟାକାଣ୍ଡର ୨୪ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ବାପ ଗୋଲେଖ ରାଉତ ଓ ପୁଅ ଲକ୍ଷ୍ମୀଧର ରାଉତକୁ ଗିରଫ୍ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ବାପ ପୁଅ ଚାଲାକ୍ ଦେଖାଇ ୨୪ଘଣ୍ଟା ଭିତରେ ସ୍ଥାନ ପରିବର୍ତ୍ତନ କରୁଥିଲେ । ସେମାନଙ୍କୁ ଧରିବା ପାଇଁ ରଣପୁର ଠାରୁ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଥିଲା । ପରିଶେଷରେ ରାତ୍ର ୧୦ଘଟିକା ସମୟରେ ଲାଠିପଡା ଅଞ୍ଚଳରୁ ଅଭିଯୁକ୍ତ ବାପ, ପୁଅକୁ ଗିରଫ୍ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ନେଇ ଇଟାମାଟି ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






