ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆଠାରେ ଆଜି ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଆଜି ପ୍ରଶାସନ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଫୁଟୁବଲ ମ୍ୟାଚଟିଏ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ସାମ୍ବାଦିକ ଏକାଦଶ ଓ ଜିଲ୍ଲାପାଳ ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଉଭୟ ଖେଳାଳିଙ୍କ ସହ କର ମର୍ଦ୍ଦନ କରିଥିଲେ ।

ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ତହସିଲଦାର ଭିକାରି ସାହୁ ପ୍ରମୁଖ ଫୁଟବଲ ଖେଳିଥିଲେ । ଜିଲ୍ଲାପାଳ ଏକାଦଶର କ୍ୟାପଟେନ ସାଜିଥିଲେ ନିଜେ ଜିଲ୍ଲାପାଳ । ସେହିପରି ସାମ୍ବାଦିକ ଏକାଦଶର କ୍ୟାପଟେନ ସାଜିଥିଲେ ସାମ୍ବାଦିକ ପ୍ରଦିପ୍ତ କୁମାର ରଥ । ଏହି ଖେଳରେ ଜିଲ୍ଲାପାଳ ଏକାଦଶ ୯-୦ ଗୋଲରେ ବିଜୟ ଲାଭ କରିଛି ।

ସାମ୍ବାଦିକ ଏକାଦଶ ଜିଲ୍ଲାପାଳ ଏକାଦଶକୁ କୌଣସି ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇପାରି ନାହିଁ । ବିଜୟୀ ଦଳକୁ ଜିଲ୍ଲାପାଳ ଟ୍ରଫି ପ୍ରଦାନ କରିଥିଲେ । ଏଥି ସହିତ ପରାଜିତ ଦଳକୁ ମଧ୍ୟ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଅକ୍ଷୟ ବେହେରା ବିବେଚିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁ, କ୍ରିଡା ଅଧିକାରୀ ସୁଜାତା ସାହୁ, ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।







