କଟକ, (ବାଘୁଆବାର୍ତ୍ତା): ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଇଟି) ପାଇଁ ଫର୍ମ ପୂରଣ ଅବଧି ଆସନ୍ତା ୧୮ ତାରିଖକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ୧୩ ତାରିଖ ପର୍ୟ୍ୟନ୍ତ ଥିଲା । କୋଭିଡ୍ କଟକଣା ଓ ମାଟ୍ରିକ ମୂଲ୍ୟାୟନ ସମସ୍ୟାକୁ ଦୃଷ୍ଟିରେ ରଖି ଓ ଅଧିକ ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ ଫର୍ମପୂରଣ ଅବଧି ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଏହି ମର୍ମରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ୧୮ ତାରିଖ ମଧ୍ୟରାତ୍ର ସୁଦ୍ଧା ଅନଲାଇନ୍ରେ ଫର୍ମପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନାନୁସାରେ, ଚଳିତ ବର୍ଷ କୋଭିଡ୍ ଏବଂ ମାଟ୍ରିକ୍ ମୂଲ୍ୟାୟନ ଆଦି କାର୍ୟ୍ୟକୁ ଦୃଷ୍ଟିରୁ ଓଏସ୍ଏସ୍ଇଟି ପରୀକ୍ଷା ସମୟ ଗଡ଼ିଛି। ପରୀକ୍ଷା ଖୁବ୍ଶୀଘ୍ର ଶେଷ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ୟ୍ୟାୟରେ ଫର୍ମ ପୂରଣ କରିବା ନିମନ୍ତେ ବୋର୍ଡରୁ ବିଜ୍ଞପ୍ତି ପ୍ରକାଶ ପାଇ ଜୁଲାଇ ୩ରୁ ଅନଲାଇନ୍ରେ ଫର୍ମ ପୂରଣ ଆରମ୍ଭ ହୋଇଥିଲା । ଫର୍ମ ପୂରଣ ଶେଷ ତାରିଖ ଆସନ୍ତା ୧୩ ତାରିଖ ଥିଲା । କିନ୍ତୁ ଏହି ଫର୍ମ ପୂରଣ ଅଦ୍ୟାବଧି ସେପରି ଆଖିଦୃଶିଆ ହୋଇନଥିବାରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଫର୍ମ ପୂରଣର ସମୟ ସୀମାକୁ ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ବଢ଼ାଇ ଦିଆଯାଇଛି । ଅନ୍ଲାଇନ୍ରେ ଫର୍ମ ପୂରଣ ହେଉଥିଲେ ହେଁ ପରୀକ୍ଷା ଅଫ୍ଲାଇନ୍ରେ କରାଯିବ ।






