ନୟାଗଡ଼,(ବାଘୁଆବାର୍ତ୍ତା): ଜଙ୍ଗଲ ନିଆଁକୁ ଆୟତ କରିବା ଏବଂ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜୁମ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାଶ, ନୟାଗଡ଼ ବିଡିଓ ମନୋଜ ପାତ୍ରଙ୍କ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି ଯୋଗ ଦେଇଥିଲେ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ମନ୍ତ୍ରୀ ଜନପ୍ରତିନିଧି ଏବଂ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ନିଆଁ ଲାଗିବା ସମ୍ପର୍କରେ ତୁରନ୍ତ ବନବିଭାଗକୁ ଜଣାଇବା ସହ ନିଆଁ ଲିଭାଇବା ପାଇଁ ସାଧାରଣଲୋକଙ୍କ ସହଯୋଗ ଲୋଡ଼ିଛନ୍ତି । ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ ନିଆଁ ଲାଗିବାର କାରଣ ଏବଂ ନିରାକରଣ ସଂମ୍ପର୍କରେ ଆଲୋଚନା କରିଥିଲେ । ବନବିଭାଗର ସମସ୍ତ କର୍ମଚାରୀମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି ।





