ଭୁବନେଶ୍ୱର,(ବାଘୁଆବାର୍ତ୍ତା) : ଶିମିଳିପାଳ ଜଙ୍ଗଲ ନିଆଁ ଆୟତ୍ତ କରିବା ପାଇଁ ବହୁଳ ଜନସଚେତନତା ଅତ୍ୟନ୍ତ ଜରୁରୀ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି । ଆଜି ବାରିପଦାଠାରେ ଏକ ଜରୁରୀ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନିତ ଭରଦ୍ୱାଜଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜରୁରୀ ବୈଠକରେ ଏହି ଚିନ୍ତାଜନକ ସ୍ଥିତିର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ, ବେସରକାରୀ ଅନୁଷ୍ଠାନ, ସେ୍ୱଚ୍ଛାସେବୀ ସଂସ୍ଥାମାନଙ୍କୁ ଏହି ନିଆଁ ଲିଭା କାର୍ଯ୍ୟରେ ସାମିଲ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷ କରି ଗ୍ରାମବାସୀମାନଙ୍କ ମଧ୍ୟରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲର ବିଶେଷତା ଓ ଜଙ୍ଗଲ ନିଆଁ ଆୟତ୍ତ ଉପରେ ବହୁଳ ଜନସଚେତନତା ସୃଷ୍ଟି କରବା ପାଇଁ ମନ୍ତ୍ରୀ କହିଥିଲେ । ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦିଆଯାଉଛି । ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଜଙ୍ଗଲ ନଷ୍ଟ ମାନବ ସମାଜ ପାଇଁ ଏକ ଚରମ ବିପତ୍ତି । ତେଣୁ ସବୁବର୍ଗର ଲୋକଙ୍କୁ ଜଙ୍ଗଲ ନିଆଁ ଆୟତ୍ତ କାର୍ଯ୍ୟରେ ସାମିଲ କରିବା ଉପରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ସମସ୍ତ ଜିଲ୍ଲା ବନ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ ତଥା ଶିମିଳିପାଳ ଜଙ୍ଗଲ ପ୍ରକଳ୍ପର ନିର୍ଦ୍ଦେଶକ ଯୋଗଦେଇ ମତ ବିନିମୟ କରିଥିଲେ ।





