କୋକସରା, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲାର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଉପରେ ପଡୋଶୀ ନବରଙ୍ଗପୁର ଜିଲ୍ଲାର ଅନୁପ୍ରବେଶ କାରୀଙ୍କ ଲୋଲୁପ ଦୃଷ୍ଟି ସବୁବେଳେ ରହିଛି । ବିଭିନ୍ନ ସମୟରେ ଅନାଧିକୃତ ଭାବେ ପୋଡ଼ୁ ଚାଷ ମକାଚାଷ ପାଇଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନୁପ୍ରବେଶ କରି ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ କରି ପୋଡ଼ୁ ଚାଷ ମକାଚାଷ କରୁଥିବା ଘଟଣାକୁ ନେଇ ବିଗତ କିଛିମାସ ତଳେ ବନ ବିଭାଗ ଜଙ୍ଗଲ ସୁରକ୍ଷା କମିଟି ଓ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଅନାଧିକୃତ ଭାବେ ବସତି କରି ରହୁଥିବା ନବରଙ୍ଗପୁର ଜିଲ୍ଲାର ଆଦିବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ତିକ୍ତତା ଦେଖାଦେଇଥିଲା । ପରେ ଦୁଇ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିବା ବେଳେ ପୁଣି ଥରେ ପଡ଼ୋଶୀ ଜିଲ୍ଲା ନବରଙ୍ଗପୁରର ବାସିନ୍ଦା କଳାହାଣ୍ଡି ସୀମା ସଂରକ୍ଷିତ ଜଙ୍ଗଲରେ ଅନୁପ୍ରବେଶ କରି ଜଙ୍ଗଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଛି । ଶୁକ୍ରବାର ଜଙ୍ଗଲ କାଟୁଥିବା ଖବର ପାଇ ଧର୍ମଗଡ଼ ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ବେହେରା ସେକ୍ସନ ବନ କର୍ମଚାରୀ ନବରଙ୍ଗପୁର ଜିଲ୍ଲାର ୨୦ ଜଣ ବ୍ୟକ୍ତିଙ୍କୁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଘଣ୍ଟିଗୁଡା ବିଟ କୁମପେନ ଅଞ୍ଚଳରେ ବେଆଇନ ଭାବେ ଜଙ୍ଗଲ କାଟୁଥିବା ଖବର ପାଇଥିଲା। ପରେ ବେହେରା ବନ ବିଭାଗ କର୍ମଚାରୀ ଚଢ଼ାଉ କରି ୨୦ ଜଣ ଅନୁପ୍ରବେଶକାରୀଙ୍କୁ ଜଙ୍ଗଲ କାଟିବା ଅଭିଯୋଗରେ ବେହେରା ରେଞ୍ଜ ଅଫିସରେ ଆଣି ଅଟକ ରଖିଥିଲେ । ଅଟକ ଥିବା ସମସ୍ତେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗା ବ୍ଲକ ଡେଙ୍ଗାଗୁଡା ଜୁନାପାଣି ଜାମପାଣି ଚିକିଲି କେନ୍ଦୁସାହି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଶନିବାର ସମସ୍ତଙ୍କୁ ଧର୍ମଗଡ଼ ରେଞ୍ଜ ଅଫିସକୁ ନିଆଯାଇ ସମସ୍ତ ଅଭିଯୁକ୍ତଙ୍କୁ ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବେହେରା ଫରେଷ୍ଟର ଫାଲଗୁନି ମେହେର ସୁଚନା ସୁଚନା ଦେଇଛନ୍ତି।






