ଆନନ୍ଦପୁର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡରେ ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ । ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଇଛନ୍ତି ଐତିହାସିକ ରାୟ । ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ କେସ ନମ୍ବର ୪୨ / ୧୯ ଭାରତୀୟ ଦଣ୍ଡ ବିଧାନ ଆଇନର ଦଫା 302, 120B, 201 ଓ ଆର୍ମସ ଆକ୍ଟର ଧାରା 25ଓ 27 ଅନୁଯାୟୀ ମାମଲା ବିଚରାଧୀନ ଥିବା ବେଳେ 2023 ନଭେମ୍ବର 20 ତାରିଖ ରେ ଅଭିଯୁକ୍ତ ମାନଙ୍କର ଜମାନବନ୍ଦୀ ଶେଷ ହୋଇଥିଲା । ଦୀର୍ଘ ୫ ବର୍ଷ ତଳେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଏବେ ଏହାର ଶୁଣାଣିକୁ ନେଇ ଚାରି ଆଡେ ଚର୍ଚ୍ଚା ଲାଗି ରହିଛି । ଏହି ମାମଲାରେ ମେ’ ମାସ ୨୨ ତାରିଖରେ ପୋଲିସ ଚାର୍ଜସିଟ ଦାଖଲ କରିଥିବା ବେଳେ ମୋଟ ୧୧ ଜଣ ମୁଦାଲାଙ୍କ ମଧ୍ୟରୁ ୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଏଥିମଧ୍ୟରୁ ତତ୍କାଳୀନ ନାବାଳକ ଥିବା ପ୍ରମୋଦ ଦାସ ନାମକ ମୁଦାଲା କେନ୍ଦୁଝର ଜୁଭେନାଲ କୋର୍ଟରେ ବିଚରାଧୀନ ଭାବେ ରହିଥିବା ବେଳେ ସଂଜିତ ପୃଷ୍ଟି, ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି, ଓ ଦୋଳ ବୋଇତେଇ ଆନନ୍ଦପୁର ଉପକାରାଗାରରେ ବିଚରାଧୀନ କଏଦୀ ଭାବେ ରହିଥିବା ବେଳେ ଆଜି ସେମାନଙ୍କୁ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ୨୦୧୯ ମାର୍ଚ୍ଚ ୨୫ ତାରିଖ ରେ ପ୍ରାୟ ରାତି ୧୦ଟାରେ ଘରୁ ଡାକି ନେଇ ହତ୍ୟା କରାଯାଇଥିଲା । ୨୦୧୪ ସାଧାରଣ ନିର୍ବାଚନ ରେ ରାମଚନ୍ଦ୍ର ବେହେରା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ। ତାପର ଠାରୁ ରାଜନୀତି ରୁ ଦୁରେଇ ଯାଇଥିବା ରାମଚନ୍ଦ୍ର ୨୦୧୯ ନିର୍ବାଚନ ର ଅଵ୍ୟବହିତ ପୂର୍ବରୁ ମାର୍ଚ୍ଚ ୨୬ ତାରିଖରେ ନିଜର ହଜାର ହଜାର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା । ଠିକ ପୂର୍ବ ରାତି ରେ ରାମଚନ୍ଦ୍ରଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଭାବେ ତାଙ୍କ ହାତ ଗୋଡ଼ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଅପରାଧୀ ମାନେ ତାଙ୍କ କଟା ହାତକୁ ଗାଁରେ ବୁଲାଇବା ସହିତ କଟା ହାତର ମାଂସ ଖାଇଥିଲେ ଯାହାର ଭିଡିଓ ମଧ୍ୟ ଭାଇରଲ ହୋଇଥିଲା। ପରିବାର ର ଅଭିଯୋଗ କୁ ଆଧାର କରି ପୋଲିସ ମାମଲା କରିବା ସହିତ ଘଟଣା ର ତଦନ୍ତ କରିଥିଲା। ତେବେ ଏହି ଐତିହାସିକ ରାୟ ପରେ ପରିବାର ଲୋକ ନ୍ୟାୟ ଉପରେ ଭରସା ଥିବା ସହିତ ବାପା ଙ୍କ ହତ୍ୟାର ସଠିକ ନ୍ୟାୟ ମିଳିଥିବା ପ୍ରକାଶ କରିଛନ୍ତି ।





