ରଣପୁର, (ବାଘୁଆବାର୍ତ୍ତା): ବୁଧବାର ବିଳମ୍ବିତ ରାତିରେ ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ନୋତର ଗ୍ରାମରେ ଡକାୟତି କରିବା ଉଦେଶ୍ୟରେ ୯ ଜଣ ଡକାୟତ ନୋତର ହାଇସ୍କୁଲ ପଛପଟରେ ଥିବା ପାହାଡ଼ରେ ବସି ଯୋଜନା କରୁଥିଲେ l ଇଟାମାଟି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାହଡକୁ ଘେରିବା ସହ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ପୋଲିସ ୪ ଜଣକୁ କାବୁ କାରି ନେଇଥିବା ବେଳେ ଅନ୍ୟ ପଞ୍ଚାଜଣ ଫେରାର ହୋଇଯାଇଥିଲେ l ଏ ସମ୍ପର୍କରେ ଇଟାମାଟି ଥାନା ତରଫରୁ ଅନ୍ୟ ଥାନାମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା l ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିବା ଡକାୟତମାନେ ରଣପୁର ଅଞ୍ଚଳକୁ ପଶି ଆସିଥିବା ବେଳେ ସେମାନେ ମଣିନାଗ ପାର୍କ ନିକଟସ୍ଥ ପାହାଡରେ ଯୋଜନା କରୁଥିବା ବେଳେ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଓ ପୋଲିସ ଟିମ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲା l ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l ସେମାନଙ୍କ ନାମରେ ଦର୍ପନାରାୟଣପୁର, ଇଟାମାଟି, ଶରଣକୁଳ, ବାଣପୁର, ନୟାଗଡ ସଦର ଅଂଚଳରୁ ଚୋରି କରିଥିବା ସ୍ୱୀକାର କରିଥିଲେ | ଗିରଫ ବ୍ୟକ୍ତିମାନଙ୍କ ନାମରେ ରଣପୁର ପୋଲିସ ୫୮/୨୦୨୫ ନମ୍ବରରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି | ଗିରଫ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଞ୍ଛାନିଧିପୁରର ବାସୁ ପ୍ରଧାନ (୩୫), ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୂଟ ଗାଁ ର ରାଜୁ ପ୍ରଧାନ (୨୫), ଜଙ୍କିଆ ଥାନା ଅନ୍ତର୍ଗତ ଛାତଗିରି ଗ୍ରାମର ମାନସ ରେଡି (୨୫), ବାଣପୁର ଥାନା ବାଞ୍ଛାନିଧିପୁରର ସ୍ୱାଧୀନ ପ୍ରଧାନ (୨୦) ଓ ନିରାକାରପୁର ଥାନା ଅନ୍ତର୍ଗତ ଚିତ୍ରକୂଟ ଗାଁ ର ଚଗଲା ପ୍ରଧାନ ବୋଲି ପୋଲିସ ତଥ୍ୟରୁ ଜଣା ପଡିଛି |