ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫିଟ୍ନେସ୍ ନାହିଁ ତ ଚାକିରି ଛାଡ଼ । ପେଟୁଆ ପୁଲିସ୍ ବାବୁଙ୍କୁ ଏପରି କଡା ଭାଷାରେ ତାଗିଦ କରିଥିଲେ ଡିଜିପି । ହେଲେ ଏହି ଗୁରୁମନ୍ତ୍ରକୁ ଭୁଲିବା ଆଜି ଜଣେ ଡିଏସ୍ପି ପାହ୍ୟାର ଅଧିକାରୀଙ୍କୁ ମହଙ୍ଗା ପଡିଛି । ସଂପୃକ୍ତ ଡିଏସ୍ପି ଲୋୟର ପିଏମ୍ଜିରେ ଆନ୍ଦୋଳନଗତ ଶିକ୍ଷକଙ୍କୁ ଅଟକାଇବେ କ’ଣ, ଧଇଁସଇଁ ହୋଇ ୫ ରାଉଣ୍ଡ ଗଳିପଡିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ତାଙ୍କ ହାତ ଖୁଆ ଖସିଯାଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଫିଟନେସ୍ ନଥିବା ଅଧିକାରୀଙ୍କୁ ନେଇ କମିଶନରେଟ୍ ପୁଲିସ କିପରି ଚାଲିବ ତାଙ୍କୁ ନେଇ ଭାଳେଣି ପଡିଛି । ସୋମବାର ମଧ୍ୟାହ୍ନରେ କମ୍ପୁଟର ଶିକ୍ଷକ ମାନେ ଲୋୟର ପିଏମ୍ଜି ଛକ ଠାରେ ଧାରଣା ଦେଇଥିଲେ । ପରେ ବ୍ୟାରିକେଡ୍ ଭାଙ୍ଗି ଲୋକସେବା ଭବନ ଆଡକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ । ସେଠାରେ କାର୍ୟ୍ୟରତ ଥିବା ଏକ ନିର୍ଦ୍ଦିଷ୍ଟ ଥାନାର ଆଇଆଇସି(ଡିଏସ୍ପି ପାହ୍ୟା) ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜଣେ ଶିକ୍ଷକ ହଠାତ୍ ଦୌଡିବାକୁ ଆରମ୍ଭ କରିଥିଲେ । ସଂପୃକ୍ତ ଆଇଆଇସି ମଧ୍ୟ ଦୌଡି ଦୌଡି ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ପାରି ନଥିଲେ । କିଛି ସମୟ ଦୌଡ଼ିବା ପରେ ଧଇଁ ସଇଁ ହୋଇ ତଳେ ଗଳି ପଡିଥିଲେ । ଫଳରେ ତାଙ୍କ ହାତ ଖୁଆରେ ଆଘାତ ଲାଗିଥିଲା । ତତ୍ଷଣାତେ ସେଠାରେ ଉପସ୍ଥିତ ଥିବା ଅନ୍ୟ ପୁଲିସ୍ କର୍ମଚାରୀ ଆନ୍ଦୋଳନ ରୋକିବେ କଣ ଉକ୍ତ ଡିଏସ୍ପିଙ୍କୁ ଧରି ମେଡିକାଲ ଧାଇଁଥିଲେ । ଅପରାଧ ନିୟନ୍ତ୍ରଣ ପାଇଁ ଗୁରୁମନ୍ତ୍ର ଦେଇଥିଲେ ପୁଲିସ ମହାନିର୍ଦ୍ଦେଶକ । ପେଟ କମାଅ, ଫିଜିକାଲ ଫିଟନେସ୍ ରଖ । ଏହା ଦ୍ୱାରା ଅପରାଧୀଙ୍କୁ ସାବାଡ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ହେଲେ ସଂପୃକ୍ତ ଅଧିକାରୀ ଡିଜିପିଙ୍କ କଥାକୁ ଗୁରୁତ୍ୱର ସହ ନେଇନଥିଲେ । ଯାହାର ହିସାବ ତାଙ୍କୁ ଆଜି ଦେବାକୁ ପଡିଛି । ଏହି ଅଫିସରଙ୍କର ବଦଳି ହେବା ସତ୍ତେ୍ୱ ମଧ୍ୟ ସେ ଚୌକି ମାଡି ବସିବାକୁ ନେଇ ଚର୍ଚ୍ଚା ଏବେ ବି ଥମିନି । ଏହି ଥାନାରେ ପ୍ରତ୍ୟେକ ଦିନ ପ୍ରତିବାଦ, ଧାରଣା ଜାରି ରହିଥିବା ବେଳେ ଜଣେ ଅନଫିଟ ଆଇଆଇସି କିପରି ଦାୟିତ୍ୱ ନିର୍ବାହ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି ।






