ସିନାପାଲି,(ବାଘୁଆବାର୍ତ୍ତା): କ୍ଷେତରେ ପଡ଼ିଥିବା ନଡ଼ାକୁ ପୋଡ଼ିବାକୁ ଯାଇଥିଲେ। ହେଲେ ହଠାତ୍ ନିଆଁ ଚାରିଆଡ଼କୁ ବ୍ୟାପିଯିବାରୁ ତା’ ମଧ୍ୟରୁ ବାହାରିପାରିଲେ ନାହିଁ। ଜିଅନ୍ତା ଜଳିଗଲେ ନୂଆପଡ଼ା ଜିଲ୍ଲା ସିନାପାଲିର ଚାଷୀ ନୀଳାମ୍ବର ମେହେର (୫୫ବର୍ଷ)। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିନାପାଲି ବ୍ଲକ ସିନାପାଲି ଗ୍ରାମର ନୀଳାମ୍ବର ରବିବାର ତାଙ୍କ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ଶୁଖିଲା ନଡ଼ାରେ ନିଆଁ ଲଗାଇବା ମାତ୍ରେ ପବନରେ ନିଆଁ ସବୁଆଡ଼କୁ ବ୍ୟାପି ଯାଇଥିଲା। ସବୁଆଡ଼ ଧୂଆଁ ଭର୍ତ୍ତି ହୋଇଯାଇଥିଲା। କିଡ୍ନିରୋଗୀ ହୋଇଥିବାରୁ ନୀଳାମ୍ବର ସେହି ଧୂଆଁ ଓ ନିଆଁ ଘେରରୁ ବାହାରି ପାରିନଥିଲେ ଓ ପଡ଼ି ଯାଇଥିଲେ। ତାଙ୍କ ଦେହରେ ବି ନିଆଁ ଲାଗିଯାଇଥିଲା। ଧୂଆଁ ଓ ନିଆଁ ଦେଖି ଗ୍ରାମବାସୀ ସେଠାରେ ପହଞ୍ଚି ନୀଳାମ୍ବର ନିଆଁ ଘେରରେ ଥିବା ଦେଖିଥିଲେ। ସେତେବେଳକୁ ସେ ପୋଡ଼ି ଯାଇଥିଲେ। ଗ୍ରାମବାସୀ ତୁରନ୍ତ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ଏଏସ୍ଆଇ କେଶବ ମାଝୀ, ସୁରଥ ପୁଝାରୀ, ଏସ୍ଆଇ କୁଳମଣି ବୁରୁଦା ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ସିନାପାଲି ଥାନା କେସ୍ ନଂ ୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅତ୍ୟନ୍ତ ଗରିବ ପରିବାରର ନୀଳାମ୍ବରଙ୍କ ସ୍ତ୍ରୀ ଓ ଜଣେ ପୁଅ ଅଛନ୍ତି। ଏକରେରୁ କମ୍ ଚାଷଜମିରୁ ଯେତିକି ଆୟ ହେଉଥିଲା ତାହା ନିଅଣ୍ଟ ପଡ଼ୁଥିବାରୁ ନୀଳାମ୍ବର ଠେଲାରେ ନେଇ ମୁଢ଼ି, ଲିଆ ଆଦି ବିକୁଥିଲେ। ତାଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି।






