କଟକ,(ବାଘୁଆବାର୍ତ୍ତା): ଗତକାଲି ବାତ୍ୟା “ୟାସ୍” ଉତ୍ତର ଓଡିଶାର ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫଳରେ ବହୁ ରାସ୍ତା ଗଛ, ପୋଲ୍ ଓ ହୋର୍ଡିଙ୍ଗମାନ ପଡି ଅବରୋଧ ହୋଇଥିଲା । କିଛି ଲୋକ ମଧ୍ୟ୍ୟ ଜଳ ଘେରରେ ରହିଯାଇ ଥିଲେ । ଏହି ଜିଲ୍ଲା ଗୁଡିକରେ ଅବସ୍ଥାପିତ ଅଗ୍ନିଶମଦଳ ଗୁଡିକ ତ୍ଵରିତ୍ ଭାବରେ ଉଦ୍ଧାର ଓ ପୁନଃରୁଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ସେମାନେ ବାତ୍ୟାକୁ ଭୁକ୍ଷେପ ନ କରି ଲୋକମାନଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନମାନଙ୍କୁ ସ୍ଥାନାନ୍ତରିତ କରିଥିଲେ । ବହୁ ସ୍ଥାନରେ ରାସ୍ତା ଅବରୋଧ କରିଥିବା ଗଛ ଓ ପୋଲ୍ ଆଦି ହଟାଇ ଯାତାୟାତ ସାମାନ୍ୟ କରାଇଥିଲେ । କିନ୍ତୁ ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର କ୍ଷୟକ୍ଷତିକୁ ବିଚାର କରି ଗତକାଲି ଅଗ୍ନିଶମ ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ ବାଲେଶ୍ଵର ଜିଲ୍ଲାକୁ ଆଉ ୧୦ ଗୋଟି ଅଗ୍ନିଶମ ଟିମ୍ ପଠାଇବା ସଙ୍ଗେ ସଙ୍ଗେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ୟ୍ୟ କରିବା ପାଇଁ ନିଜ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ ନିଜେ ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତ କରି ଉଦ୍ଧାର କାର୍ୟ୍ୟର ସମୀକ୍ଷା କରିଥିଲେ । ସେ ଏହି ଜିଲ୍ଲା ଗୁଡିକରେ ଅବସ୍ଥାପିତ ପୋଲିସ୍ ଓ ଅଗ୍ନିଶମ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଉଦ୍ଧାର ଓ ପୁନଃରୁଦ୍ଧାର କାର୍ୟ୍ୟ କିପରି ତ୍ୱରାନ୍ୱିତ କରାଯିବ ସେ ଉପରେ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ ।






