ସିଚୁଆନ, (ବାଘୁଆବାର୍ତ୍ତା): ଚାଇନାର ସିଚୁଆନ ପ୍ରଦେଶରେ ଥିବା ଏକ ମଲ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜୀବନ ଚାଲି ଯାଇଛି। ଗତକାଲି ସନ୍ଧ୍ୟା ସମୟରେ ୧୪ ମହଲା ବିଶିଷ୍ଟ ମଲ୍ରେ ଲାଗିଥିବା ଏହି ନିଆଁ ଆଜି ଭୋର ସମୟରେ ନିୟନ୍ତ୍ରଣକୁ ଆସିଥିଲା। ମଲ୍ ଭିତରୁ ପ୍ରାୟ ୭୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି। ସିଚୁଆନ ପ୍ରଦେଶର ଜିଜୋଙ୍ଗରେ ଥିବା ଏକ ୧୪ ମହଲା ବିଶିଷ୍ଟ ମଲ୍ରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା। ଉକ୍ତ ସମୟରେ ମଲ୍ରେ ବହୁ ଲୋକ ଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହାପରେ ମଲ୍ ବାହାରେ ଏକ ମୋଟା ଆସ୍ତରଣର କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଜୀବନ ବିକଳରେ ବହୁ ଲୋକ ଦୌଡ଼ି ବାହାରକୁ ଆସିଥିବା ବେଳେ ବହୁ ଲୋକେ ନିଆଁ ଭିତରେ ଫସି ଯାଇଥିଲେ। ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ ତୁରନ୍ତ ମଲ୍ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମଲ୍ରୁ ୭୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୬ଟି ମୃତଦେହକୁ ଉଦ୍ଧାର କରାଯାଇଛି। ନିଆଁକୁ ଆୟତ୍ତ କରିବାକୁ ବହୁ ଚେଷ୍ଟା କରାଯିବା ପରେ ଆଜି ସକାଳେ ନିଆଁ ଆୟତ୍ତକୁ ଆସିଥିଲା। ନିଅଁ ଲିଭାଯିବା ପରେ ଅଗ୍ନିଶମ କର୍ମଚାରୀ ସମ୍ପୂର୍ଣ୍ଣ ବିଲ୍ଡିଂକୁ ତନ ତନ କରି ଯାଞ୍ଚ କରିବା ସହ ଏହାକୁ ଖାଲି କରି ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ବିଲ୍ଡିଂର କିଛି ଅଂଶରେ ନିର୍ମାଣ କାମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣାର ତଦନ୍ତ ନିମନ୍ତେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ତଦନ୍ତକାରୀ ଦଳ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି।






