ପୁରୀ, (ବାଘୁଆବାର୍ତ୍ତା): ବୁଧବାର ତିନି ରଥର ଦୁଇଟି ଲେଖାଏଁ ମୋଟ ୬ଟି ନାହାକା ଚକ ନିର୍ମାଣ ଶେଷ ହୋଇଛି । ଭଉଁରୀରେ ୨ଟି ନାହାକା ଚକ ସହିତ ନାହାକା ଅଖ ସଂଯୁକ୍ତ ହେବ । ଏଣୁ ଅଖ ନିର୍ମାଣ ପାଇଁ ବୁଧବାର ଭୋଇ ସେବକମାନେ ୪୦ ଫୁଟିଆ କାଠ ଅଖ କାଠ ଯଥା ସ୍ଥାନରେ ପକାଇଛନ୍ତି । ପ୍ରତି ରଥର ଗୋଟିଏ ଲେଖା ଅଖ ନିର୍ମାଣ ହେଲେ ନାହାକା ଚକ ସହ ଅଖ ସଂଯୋଗ ହେବ । ଗୁରୁବାର ବିଶ୍ୱକର୍ମାମାନେ ଅଖ କାର୍ଯ୍ୟ ଅନୁକୂଳ କରିବେ । ତାଳଧ୍ୱଜ ରଥର ଦୁଇଟି ନାହାକା ଚକ ନିର୍ମାଣ ସରି ଆଉ ୨ ଚକ ନିର୍ମାଣ ଚାଲିଥିବା କହିଛନ୍ତି ବିଶ୍ୱକର୍ମା ବାଳକୃଷ୍ଣ ମହାରଣା । ଚକରେ ପହି ପିନ୍ଧା ପରେ କଳସା ହୋଇଛି ।

ପ୍ରାୟତଃ ତିନି ରଥର କାର୍ଯ୍ୟ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଆଗଉଛି । ଦେବଦଳନ ରଥର ୪ଟି ନାହାକା ଚକରୁ ଦୁଇଟି ନାହାକା ଚକ ନିର୍ମାଣ ଶେଷ ହୋଇଛି । ଅନ୍ୟ ଦୁଇ ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ । ନନ୍ଦିଘୋଷ ରଥର ମୋଟ ୪ଟି ନାହାକା ଚକରୁ ୨ଟି ଶେଷ ହୋଇ ଆଉ ଦୁଇଟି ଚକ କାର୍ଯ୍ୟ ଶେଷ ହେବା ଉପରେ । ଅନ୍ୟ ଚକ ପାଇଁ ପହିରେ ବିନ୍ଧ ଚାଲିଛି । ଏଥିସହ ଯନ୍ତାଗାଡ଼ରେ ପଡ଼ି ସିଙ୍ଗଡ଼ା (ତୁମ୍ବରେ ଅର ସଂଯୋଗ) ପ୍ରସ୍ତୁତ କରୁଛନ୍ତି ଭୋଇସେବକ । ରୂପକାର ସେବକମାନେ ଗୁଜରେ ସିଂହ ବିରାଳ ମୂର୍ତ୍ତି ନିର୍ମାଣ କରୁଛନ୍ତି । ପ୍ରଥମ କରି ମେସିନ୍ରେ ପ୍ରସ୍ତୁତ ହେଉଛି ରଥର ବଳା । ମହାପ୍ରଭୁଙ୍କ କମାର ସେବକମାନେ ଏହି ମେସିନ୍ ତିଆରି ବଳା ଠାକୁରଙ୍କ କାର୍ଯ୍ୟରେ ଲଗାଇଛନ୍ତି । ରଥ ଚକର ତୁମ୍ବର ବାହାର ପାଶ୍ୱର୍ରେ ଲାଗିଥାଏ ଲୁହା ବଳା । ଏହି ମେସିନ୍ର ଓଜନ ପ୍ରାୟ ୪ କିଲୋ । ଗୋଟିଏ ଲୁହା ରିଙ୍ଗ୍ରେ ଏହି ମେସିନ୍ ତିଆରି ହୋଇ ଚାଳିର ଖୁମ୍ବରେ ଓଲ୍ଡିଂ କରାଯାଇ ବେସ୍ ପ୍ରସ୍ତୁତ ହୋଇଛି । ସେଥିରେ ବୋଲ୍ଟ ସାହାଯ୍ୟରେ ଜାମ୍ ଦିଆଯାଇ ଧିରେ ବୁଲାଇ ମାପ ଅନୁସାରେ ନିର୍ଦ୍ଦିଷ୍ଟ ଆକାରର ବଳା ତିଆରି ହେଉଛି । ଆବଶ୍ୟକ ସାଇଜ୍ରେ ବଳା ତିଆରି ରିପିଟ୍ ମାରି ବଳା ପ୍ରସ୍ତୁତ ହେଉଛି । ମେସିନ୍ରେ ୧୫ଟି ବଳା ତିଆରି ସରିଛି । ଆଗକୁ ପନ୍ଦାରି ପାଇଁ ମଧ୍ୟ ମେସିନ୍ ତିଆରି ହେବ ବୋଲି ନନ୍ଦିଘୋଷର ମୁଖ୍ୟ କମାର ସେବକ ଦାଶରଥି ମହାରଣା କହିଛନ୍ତି






