ଭୁବନେଶ୍ୱର, (ବାଘୁଆବାର୍ତ୍ତା): ତୁମ ଚେହେରା ସୁନ୍ଦର । ଗୋଟିଏ ଚାଉଳରେ ଗଢ଼ା । କୋଉ ବଲିଉଡ୍ ହିରୋଇନ୍ଠୁ କମ୍ ନୁହେଁ । ଥରେ ଏଣ୍ଟ୍ରି ମାରିଲେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ହଇଚଇ କରିବ । ମୁଁ ପୂରା ସହଯୋଗ କରିବି । ଏବେ ଲକ୍ଷେ ଦିଅ । ଫିଲ୍ମରୁ ରୋଜଗାର ହେଲେ, ଟଙ୍କା ଫେରାଇ ଦେବି । ଜଣେ ଫିଲ୍ମ ନିର୍ମାତା ଏମିତି ପ୍ରଲୋଭନ ଦେଖାଇ ଲକ୍ଷେ ଟଙ୍କା ଠକି ନେଇଛନ୍ତି । ତାହା ପୁଣି ଜଣେ କିନ୍ନରଙ୍କ ଠାରୁ । ଠକାମୀର ଶିକାର କିନ୍ନର ଏ ଥାନାରୁ ସେ ଥାନାକୁ ଦୌଡି଼ ନୟାନ୍ତ ହେଲେଣି । ତେବେ ଫିଲ୍ମ ନିର୍ମାତାଙ୍କ ଏଭଳି କଳା କାରନାମା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଛି । ପିଙ୍କି କିନ୍ନର (ଛଦ୍ମନାମ)ଙ୍କ ଘର ଭରତପୁର ଅଞ୍ଚଳରେ । ସେ ଜଣେ ଉଚ୍ଚଶିକ୍ଷିତା । ଫିଲ୍ମ ନିର୍ମାତା ଜଣକ ପିଙ୍କିଙ୍କୁ କିଛି ମାସେ ତଳେ ଖଣ୍ଡଗିରି ପାହାଡ଼ ପଛରେ ଦେଖିଥିଲେ । ସେ ଠକିବା ଯୋଜନା ରଖି ପିଙ୍କିଙ୍କ ସହ ଧୀରେ ଧୀରେ ସମ୍ପର୍କ ବଢ଼ାଇ ଥିଲେ । ଫିଲ୍ମ ନିର୍ମାତା ଭାବେ ସେ ଓଡି଼ଆ ଇଣ୍ଡଷ୍ଟ୍ରିରେ ୧୦ରୁ ଅଧିକ ହିରୋଇନ୍ଙ୍କୁ ବ୍ରେକ୍ ଦେଇଥିବା କାହାଣୀ ସବୁବେଳେ ପିଙ୍କିଙ୍କ ସାମ୍ନାରେ ଗପୁଥିଲେ । ଏମିତି କିଛି ମନଲୋଭା କଥା କହି ପିଙ୍କିଙ୍କ ମନରେ ବିଶ୍ୱାସ ଜନ୍ମାଇଲେ । ଆଉ ଟିକେ ଟିକେ କଥାରେ ପିଙ୍କିଙ୍କୁ ଆଗାମୀ ଫିଲ୍ମରେ ବ୍ରେକ୍ ଦେବାର ସ୍ୱପ୍ନ ବି ଦେଖାଉଥିଲେ । ଏପ୍ରିଲ୍ ମାସରେ ଫିଲ୍ମ ନିର୍ମାତା ଜଣକ ପିଙ୍କିଙ୍କୁ ଫୋନ୍ରେ କହିଲେ, ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଫିଲ୍ମ ବେପାରରେ ଘାଟା ଚାଲିଛି । କିଛି ଲୋକଙ୍କ ବକେୟା ସୁଝିବାର ଅଛି । ମୋର ଏବେ ୩-୪ ଲକ୍ଷ ଟଙ୍କା ଦରକାର । ତମେ କିଛି ଟଙ୍କା ଦେଇଥାଅ । ତମକୁ ବ୍ରେକ୍ ଦେବି । ସେଇ ଫିଲ୍ମର ଆୟରୁ ଟଙ୍କା ଫେରାଇଦେବି । ଫିଲ୍ମ ହିରୋଇନ୍ର ସ୍ୱପ୍ନ ଦେଖୁଥିବା ପିଙ୍କି ନିର୍ମାତାଙ୍କ କଥାରେ ସଙ୍ଗେ ସଙ୍ଗେ ସହମତି ଭରିଲେ । ପରେ ତାଙ୍କୁ ଫୋନ୍ ପେ ଜରିଆରେ ୭୦ ହଜାର ଟଙ୍କା ଦେଇଥିଲେ । ବାକି ୩୦ ହଜାର ଟଙ୍କା ହାତକୁ ଦେଲେ । ପରେ ଫିଲ୍ମ ନିର୍ମାତା ଜଣକ ଆଉ ପିଙ୍କିଙ୍କୁ ଧରାଛୁଆଁ ଦେଲେନି । ଏମିତିକି ପିଙ୍କିଙ୍କ ଫୋନ୍ କଲ୍କୁ ଲଗାତାର କାଟି ଚାଲିଲେ । ଠକାମୀର ଶିକାର ହୋଇଥିବା ଜାଣି ପିଙ୍କି ଗତ ମାସ ୨୭ ତାରିଖରେ ପ୍ରଥମେ ଖଣ୍ଡଗିରି ଥାନାକୁ ଯାଇଥିଲେ । ଟଙ୍କା ନେଣଦେଣ ଖଣ୍ଡଗିରି ଅଞ୍ଚଳରେ ହୋଇନଥିବାରୁ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଫେରାଇ ଦେଇଥିଲା । ପରେ ସେ ଭରତପୁର ଥାନାକୁ ମଧ୍ୟ ଯାଇ ଫେରିଥିଲେ । ଶେଷରେ ଫିଲ୍ମ ନିର୍ମାତା ଜଣକ ଲକ୍ଷ୍ମୀସାଗରରେ ଭଡ଼ା ଘରେ ରହୁଥିବା ଖବର ପାଇଥିଲେ । ଏନେଇ ଗତ ୧ ତାରିଖରେ ଲକ୍ଷ୍ମୀସାଗର ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ଫିଲ୍ମ ନିର୍ମାତା ଏହା ଜାଣି ଆପୋଷ ବୁଝାମଣା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି ।





