ମୁମ୍ବାଇ, (ବାଘୁଆବାର୍ତ୍ତା): ବାପା ସାଜିଲା ସୈତାନ । ସ୍ନେହ ଦେବା ବଦଳରେ ଦେଲା ମୃତ୍ୟୁର ଦଣ୍ଡ । ଆଇସ୍କ୍ରିମ୍ ଖାଇବାକୁ ଦେଲା ହେଲେ ମୂଷା ମରା ଔଷଧ ମିଶାଇ ଖାଇବାକୁ ଦେଇଥିଲା ଆଇସ୍କ୍ରିମ୍ । ଆଇସ୍କ୍ରିମ୍ ଖାଇ ଜଣେ ୫ବର୍ଷର କୁନି ପୁଅର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଅସୁସ୍ଥ ଥିବା ଜଣାପଡିଛି । ଏଭଳି ଲୋମ ହସ୭ଣ ଘଟଣା ଘଟିଛି ମୁମ୍ବାଇର ମାନଖୁର୍ଦ୍ଦ ଅଞ୍ଚଳରେ । ସୂଚନାନୁସାରେ, ମୁମ୍ବାଇ ମାନଖୁର୍ଦର ମହମ୍ମଦ ଅଲ୍ଲୀ ନୈଶାଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଲାଗିଥିଲା । ବାପା ଆଇସ୍କ୍ରିମ୍ ଆଣିଥିବା ଖୁସିରେ ପିଲାମାନେ ଖାଇଥିଲେ । ହେଲେ ଖାଇବାର କିଛି ସମୟ ପରେ ସମସ୍ତେ ଅଚେତ ହୋଇଯାଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ୫ବର୍ଷର କୁନି ପୁଅ ଅଲିଶାନ ଅଲ୍ଲି ମହମ୍ମଦଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ପିଲା ୭ବର୍ଷର ଅଲୀନା ଏବଂ ୨ବର୍ଷିୟ ଅରମାନ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ମୂଷା ମରା ଔଷଧ ଦେଇଥିବା ଜଣାପଡିବା ପରେ ସ୍ତ୍ରୀ ଯାଇ ଥାନାରେ ଅଭିଯୋଗ କରିଥିଲା । ପୁଲିସ୍ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାପା ମହମ୍ମଦ ଅଲ୍ଲୀ ନୈଶାଦକୁ ଗିରଫ୍ କରିଛି ।





