ଭୁବନେଶ୍ବର,(ବାଘୁଆବାର୍ତ୍ତା): ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଟାସ୍କଫୋର୍ସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଏହି କମିଟି ଗଠିତ ହୋଇଛି। ଏହି କମିଟିର ନାଁ- ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ରଖାଯାଇଛି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୯ଜଣ ସଦସ୍ୟ ଅଛନ୍ତି। ଏଥିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ ଜିତେନ୍ଦ୍ର କୁମାର, ଶଶୀ ପାଲ, ପଙ୍କଜ ଅଗ୍ରୱାଲ, ଡେରାଡୁନର ଆଇସିଏଫ୍ଆରଇ ଡିଜିଙ୍କ ପ୍ରତିନିଧି,ଏନଆରଏସସିର ଫରେଷ୍ଟ ଆଣ୍ଡ ଇକୋଲୋଜିର ମୁଖ୍ୟ, ପିକେ ମଲ୍ଲିକ, ଜେ କେ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ। ଏହି ଟାସ୍କ ଫୋର୍ସ କମିଟି ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ। ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି। ସବୁଠାରୁ ବଡ଼ କଥା ହେଲା କି, ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ଏହି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବ୍ୟବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।





