ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଅଘଟଣ । +୨ ବଡ଼ ଭଉଣୀ ଓ ମାଟ୍ରିକ ପରୀକ୍ଷା ଦେଇଥିବା ସାନ ଭଉଣୀ ଦୁହେଁ ମିଶି କେଉଁଆଡେ ଫେରାର ହୋଇଯାଇଛନ୍ତି । ଏନେଇ ଦୁଇ ଭଉଣୀଙ୍କର ମା’ ଚାନ୍ଦପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୁଚନାନୁସାରେ ମୟୁରଝୁଲିଆ ପଞ୍ଚାୟତ ହରିହରପୁର ଗ୍ରାମର ଯୋଗେନ୍ଦ୍ର କୁମାର ସ୍ୱାଇଁ ଓ ରଶ୍ମିତା ସ୍ୱାଇଁଙ୍କ ବଡ଼ ଝିଅ ମନିଷା ସ୍ୱାଇଁ ଓ ସାନ ଝିଅ ଲିପ୍ସା ସ୍ୱାଇଁ । ବଡ଼ ଝିଅ ମନିଷାଙ୍କ ବୟସ ୧୮ ବର୍ଷ ସେ +୨ରେ ପାଠ ପଢୁଥିଲେ । ସାନ ଝିଅ ଲିପ୍ସା ସ୍ୱାଇଁ ବୟସ ୧୫ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଦୁଇ ଝିଅଙ୍କ ମା’ ବାରିପଟେ ପାଣି ଦେଉଥିବା ବେଳେ ଦୁଇ ଭଉଣୀ କେଉଁଆଡେ ଫେରାର ହୋଇଯାଇଛନ୍ତି । ଏଥି ନିମନ୍ତେ ପରିବାର ପକ୍ଷରୁ ସମସ୍ତ ବନ୍ଧୁବାନ୍ଧବ ଓ ସମ୍ପର୍କିୟ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ତଥାପି ଦୁଇ ଭଉଣୀଙ୍କର କୌଣସି ଖବର ମିଳିନାହିଁ । ଏଥି ନିମନ୍ତେ ଯୋଗେନ୍ଦ୍ରଙ୍କ ପତ୍ନୀ ରଶ୍ମିତା ସ୍ୱାଇଁ ଚାନ୍ଦପୁର ଥାନାରେ ଜଣାଇ ଦୁଇ ଝିଅଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ।





