‘ବାଘୁଆବାର୍ତ୍ତା’ ନାମରେ ଫେକ ନ୍ୟୁଜ ଭାଇରାଲ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରୁ ସାପ୍ତାହିକ ଭାବେ ପ୍ରକାଶିତ ଖବରକାଗଜ ‘ବାଘୁଆବାର୍ତ୍ତା’ ଇ-ମିଡିଆରେ ନିଜକୁ ସାମିଲ କରି ନିରବଚ୍ଛିନ୍ନ ଭାବେ ସଠିକ ଏବଂ ତତ୍କ୍ଷଣାତ ଖବର ପ୍ରକାଶ କରିବାକୁ ଗୁରୁତ୍ୱ ଦେଉଛି । ପ୍ରତ୍ୟେକ ଘଟଣାର ଅନୁସନ୍ଧାନ ସହ ପାଠକଙ୍କ ପାଖରେ ଶୀଘ୍ର ଖବର ପଠାଇବା ପାଇଁ ଦୃଢ଼ ସଂକଳ୍ପ ବଦ୍ଧ ହୋଇଛି । ମାତ୍ର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ‘ବାଘୁଆବାର୍ତ୍ତା’କୁ ବଦନାମ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ନଜରକୁ ଆସିଛି । ବାଘୁଆବାର୍ତ୍ତା ପୋର୍ଟାଲରୁ ଖବର କପି କରି କିଛିବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ସୋସିଆଲ ମିଡିଆରେ ସାମ୍ବାଦିକ ପଣିଆ ଜାହିର କରୁଥିବା ଦେଖିବାକୁ ମିଳିଛି । ଏଥିସହିତ ଅନ୍ୟ କିଛିବ୍ୟକ୍ତି ପୋର୍ଟାଲକୁ ବଦନାମ କରିବା ପାଇଁ ଏହାର ପେଜକୁ ବ୍ୟବହାର କରି ମିଥ୍ୟା ଖବର ଭାଇରାଲ କରିଛନ୍ତି । ପେଜକୁ ଏଡିଟ କରି ମିଥ୍ୟା ଖବର ଲେଖି ଲୋକଙ୍କୁ ଭୟଭୀତ କରିବା ସହ ଖୋଲାଖୋଲି ଭାବେ ପୁଲିସକୁ ମଧ୍ୟ ଇଙ୍ଗିତ କରିଛନ୍ତି । ଏଭଳି ଗୋଟିଏ ଘଟଣା ନୁହେଁ ଅନେକ ଖବର ଭାଇରାଲ ହୋଇଥିବା ନଜରକୁ ଆସିଛି । ଯେଉଁଥିପାଇଁ ସ୍ମିନସଟ ମାଧ୍ୟମରେ ପେଜକୁ ଏଡିଟି କରି ମିଥ୍ୟା ଖବର ପ୍ରକାଶକୁ ବାଘୁଆବାର୍ତ୍ତା ଦୃଢ଼ ନିନ୍ଦା କରିବା ସହ ଏଥିପାଇଁ ପ୍ରକାଶନ ସଂସ୍ଥା ଦାୟି ରହିବ ନାହିଁ ବୋଲି ଜଣାଇଛି । ଅନ୍ୟପକ୍ଷେ, ଏହି ଚକ୍ରାନ୍ତକାରୀଙ୍କୁ ଧରିବା ପାଇଁ ଏଡିଟୋରିଆଲ ଟିମ ଏବେ କ୍ରାଇମବ୍ରାଞ୍ଚର ସହାୟତା ନେଇଛନ୍ତି । ଫେକ ନ୍ୟୁଜ ଭାଇରାଲ କରୁଥିବା ଘଟଣାକୁ ନେଇ ଏତଲା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ପୁଲିସ ଗଣମାଧ୍ୟମର ସ୍ୱାଭିମାନ ଏବଂ ସ୍ୱାଧିନତା ରକ୍ଷା କରିବା ତଥା ପୁଲିସକୁ ଇଙ୍ଗିତ କରିବା ପ୍ରସଙ୍ଗକୁ ଗୁରୁତର ସହ ନେଇ ଅନୁସନ୍ଧାନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।





