ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫେସବୁକରେ ଜଣେ ଯୁବତୀ ଆଞ୍ଜେଲ ପ୍ରିୟା ସାଜି ଲୁଟୁଥିଲା । ଫେସବୁକରେ ବନ୍ଧୁତା ସାଜି ବନ୍ଧୁଙ୍କ ଘର ପଠାଉଥିଲା ପ୍ରସାଦ । ଆଉ ପ୍ରସାଦରେ ନିଶା ମିଶାଇ ଖାଇବାକୁ ଦେଇ ଘରୁ ବିଭିନ୍ନ ସାମଗ୍ରୀ ଲୁଟି ଚାଲିଥିଲା । ଶେଷରେ ପୁଲିସ୍ ହାବୁଡରେ ପଡିଲା ଆଞ୍ଜେଲ ପ୍ରିୟା ପିଉ ବିଶ୍ୱାସ । ତାଙ୍କୁ କମିଶନରେଟ ପୁଲିସ୍ ପୁରୀ ଅଞ୍ଚଲରୁ ଗିରଫ୍ କରିଛି । ପଶ୍ଚିମବଙ୍ଗ ନିବାସୀ ପିଉ ବିଶ୍ୱାସ। ସେ ପୁରୀ ବଳିଆପଣ୍ଡାରେ ରୁହନ୍ତି। ସେ ଜଣେ ଚତୁର ମହିଳା। ସୋଶାଲ୍ ମିଡ଼ିଆ ଫେସ୍ବୁକରେ ଆକାଉଣ୍ଟ ଖୋଲି ନିଜର ଅରଜିନାଲ୍ ଫଟୋ ଦେଇଛନ୍ତି। ସେ ନିଜକୁ କେତେବେଳେ କଲେଜ କର୍ମଚାରୀ କହୁଥିଲେ ତ ଆଉ କେତେବେଳେ ଇନ୍ସ୍ୟୁରାନ୍ସ ଏଜେଣ୍ଟର ପରିଚୟ ଦେଉଥିଲେ। ଆଉ ସମୟ ସୁବିଧା ଦେଖି ସମ୍ଭ୍ରାନ୍ତ ଶ୍ରେଣୀର ଯୁବକଙ୍କୁ ଟାର୍ଗେଟ କରୁଥିଲେ। ତାଙ୍କ ସହିତ ଚାର୍ଟିଂ କରୁଥିଲେ। ସମ୍ପର୍କ ନିବିଡ଼ା ହେବା ପରେ ସେ ତାଙ୍କ ଘରକୁ ଯାଉଥିଲେ। ରାତିରେ ତାଙ୍କ ଘରେ କିଛି ସମୟ ବିତାଉଥିବା ଅଭିଯୋଗ ହୋଇଛି। ଆଉ ସାଥୀରେ ଆଣିଥିବା ପ୍ରସାଦ ଖାଇବାକୁ ଦେଉଥିବା ଅଭିଯୋଗ ହୋଇଛି। ଯେଉଁ ପ୍ରସାଦରେ ନିଶା ମିଶାଇଥିବ। ସେହି ପ୍ରସାଦ ଖାଇବା ପରେ ସମ୍ପୃକ୍ତ ବ୍ୟକ୍ତି ଚେତା ହରାଇ ପଡୁଥିଲେ। ଏହାର ସୁଯୋଗ ନେଇ ସେ ଘରେ କଳାକନା ବୁଲାଉଥିଲା। ପିଉ ବିଶ୍ୱାସଙ୍କ ଏହି ଚାଲରେ ଫସିଛନ୍ତି ଜଣେ ଜଣେ ଯୁବକ। ତାଙ୍କ ଘର ବଙ୍କୁଆଳ ଅଞ୍ଚଳରେ। ପିଉ ତାଙ୍କ ସହିତ ସୋଶାଲ ମିଡ଼ିଆରେ କଥା ହୋଇଥିଲେ। କଥା ହେଲା ବେଳେ ନିଜକୁ କଲେଜର କର୍ମଚାରୀ ବୋଲି କହିଥିଲେ। ଆଉ ତା’ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ଯୁବକଙ୍କ ଘରକୁ ଯାଇଥିଲେ ପିଉ। ରାତିରେ ତାଙ୍କ ସହିତ କିଛି ସମୟ ବିତାଇ ସାଙ୍ଗରେ ଆଣିଥିବା ପ୍ରସାଦ ଖାଇବାକୁ ଦେଇଥିଲେ। ପ୍ରସାଦ ଖାଇବା ପରେ ବ୍ୟକ୍ତି ଜଣକ ସଜ୍ଞା ହରାଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ପିଉ ସେମାନଙ୍କ ଘରେ ଥିବା ଟଙ୍କା ଓ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିଲେ। ଏନେଇ ସେ ଗତ ୨୨ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। କମିଶନରେଟ୍ ପୁଲିସ ଅଭିଯୋଗକୁ ଭିତ୍ତିକରି ପୁରୀରୁ ଅଭିଯୁକ୍ତ ଯୁବତୀ ପିଉଙ୍କୁ ଗିରଫ କରିଛି। ଏଥିସହ ତାଙ୍କଠାରୁ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଛି। ସୂଚନାନୁସାରେ, ପିଉ ବିଶ୍ୱାସଙ୍କ ଘର କୋଲକାତାରେ। ସେଠାରେ ତାଙ୍କ ନାଁରେ ଅନେକ ମାମଲା ଥିବା ଅଭିଯୋଗ ହୋଇଛି। ସେ ଲୋକଙ୍କ ଠକି ବହୁବାର ଗିରଫ ହୋଇଥିଲେ ବୋଲି ଆଲୋଚନା ହେଉଛି। ଏବେ ପୁରୀରୁ ଗିରଫ ହେବା ପରେ ପିଉ ରାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତି ରହିଛି, ତାହା ଏପର୍ୟ୍ୟନ୍ତ ଜଣାପଡ଼ି ନାହିଁ। କମିଶନରେଟ୍ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।






