ଭୁବନେଶ୍ୱର (ବାଘୁଆବାର୍ତ୍ତା): ଆଖିର ଇସାରାରେ ଚଳଚଞ୍ଚଳ ହୋଇ ଫୁଟିଉଠେ ଅନେକ ଅବ୍ୟକ୍ତ ଭାଷା । ଏହି ଭାଷାର ମୂଳ ସାକ୍ଷୀ ପାଲଟିଥାଏ ଆଖି । ସେହି ଇସାରାରେ ଭରିଯାଏ ଅନ୍ୟ ଜଣେ ଇପସିତ ବ୍ୟକ୍ତିର ହୃଦୟର ପସରା । ଆଖି ହିଁ ସବୁ କିଛି, ନଥିଲେ ସମଗ୍ର ଦୁନିଆଟା ଅନ୍ଧାର । ସୁତରାଂ ଆଖିର ଅତିବେଶୀ ଯତ୍ନ ନେବା ସଂପର୍କରେ ମହିଳମାନେ ତତ୍ପରତା ପ୍ରକାଶ କରିବା ଉଚିତ ନୁହେଁ କି ? ଅଧିକ ଘିଅ, ତେଲ, ଛଣାଛଣି ଓ ଭଜା ଖାଦ୍ୟ ତଥା ମିଠା ଖାଇବା ଉଚିତ ନୁହେଁ, ଏହା ଦ୍ୱାରା ଶରୀର ତ୍ୱଚା କଳା ପଡିଯିବା ସହ ଆଖିପତା ତଳେ କଳା ଦାଗ କ୍ରମଶଃ ପଡିଆସେ । ଦିନକୁ ୮ ରୁ ୧୦ ଗ୍ଳାସ ପର୍ୟ୍ୟନ୍ତ ପାଣି ନିଶ୍ଚୟ ପିଅନ୍ତୁ । ପାଣି ପିଇବା କମ କରିବା ଦ୍ୱାରା ଆଖି ତା’ର ସ୍ୱାଭାବିକ ଔଜଲ୍ୟତା ହରାଇ ବସିବା ସହ ନିସ୍ତେଜ ନିଷ୍ପଭ ଦେଖାଯାଇଥାଏ । କୋଷ୍ଠବଦ୍ଧତା ପ୍ରତି ଧ୍ୟାନ ରଖନ୍ତୁ । ଏହି ଅଶ୍ୱସ୍ତିଜନକ ସ୍ଥିତିରୁ ଦୂରେଇ ରହିବା ପାଇଁ ଖାଦ୍ୟରେ କଞ୍ଚା ପରିବା, ଡାଲି ଇତ୍ୟାଦି ପର୍ୟ୍ୟାପ୍ତ ପରିମାଣରେ ଖାଆନ୍ତୁ । ଚିନ୍ତା, ଅନିଦ୍ରାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ମଧ୍ୟ ଆଖିର ସାବଲୀଳ ସୌନ୍ଦର୍ୟ୍ୟରେ ହାନି ପହଞ୍ଚିଥାଏ । ଆଖିର ଜ୍ୟୋତି ଠିକ ରଖିବା ଦିଗରେ ଭିଟାମିନ, ‘ଏ’ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଭୋଜନରେ ଭିଟାମିନ ‘ଏ’ ଯୁକ୍ତ ଖାଦ୍ୟ ଯଥା: – ଗାଜର, କଦଳୀ, ଅମୃତଭଣ୍ଡା, ଆମ୍ବ, କ୍ଷୀର, ମାଖନ ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ । ଆଖି ଚତୁଃପାଶ୍ୱର୍ର ତ୍ୱଚାରେ ବାଦାମ କ୍ରିମ ହାଲକା ଭାବରେ ଲଗାନ୍ତୁଓ ନରମ କନାରେ ଧୀରେ ଧୀରେ ମାଲିଶ କରାଗଲେ ଲାଭ ମିଳିଥାଏ । ରାତିରେ ଶୋଇବାରେ ଯଥେଷ୍ଟ ପୂର୍ବରୁ ଏହି କାର୍ୟ୍ୟ କରାଯିବା ଉଚିତ ଏବଂ ଶୋଇବା ବେଳକୁ ପୋଛି ନିଆଯିବା ଉଚିତ । ଆଖିର ପାଖାପାଖି ତ୍ୱଚାରେ କ୍ରିମ ଲଗାଇ ରଖି ତାହାକୁ ସର୍ବଦା ଚିକକଣଯୁକ୍ତ ରଖିବା ଉପରେ ଯଥେଷ୍ଟ ଧ୍ୟାନ ରଖନ୍ତୁ । କ୍ରିମକୁ ପୋଛିବା ଲାଗି ଓଦା ତୁଳା ପ୍ରୟୋଗ କରନ୍ତୁ । ତୂଳାକୁ କାକୁଡି ରସରେ ଭିଜାଇ ଫ୍ରିଜରେ ରଖନ୍ତୁ । ଫେଓ ପ୍ୟାକ ଲଗାଇବା ସମୟରେ ଦ୍ୱିପ୍ରହର କାଳରେ ଶୋଇବା ସମୟରେ ତାହାକୁ ଆଖିର ବାହ୍ୟପୃଷ୍ଠ ତ୍ୱଚାରେ ଲଗାନ୍ତୁ କିମ୍ବା କାକୁଡିର ୨ଟି ଟୁକୁଡା ଆଖିପତା ଉପରେ ଲଗାଇ ରଖନ୍ତୁ । ଗୋଲାପ ଜଳରେ ତୁଳା ଭିଜାଇ ରଖିବା ମଧ୍ୟ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କଞ୍ଚା ଆଳୁ କିମ୍ବା କାକୁଡିକୁ ଛେଚି ତାହାକୁ ନରମ କନାରେ ବାନ୍ଧି ରଖି ୧୫ ରୁ ୨୦ ମିନିଟ ପର୍ୟ୍ୟନ୍ତ ଆଖିର ବାହ୍ୟପୃଷ୍ଠ ତ୍ୱଚାରେ ଲଗାଇ ରଖିବା ବେଶ ହିତକର ହୋଇଥାଏ । ଚଳନ୍ତା ବସ ଟ୍ରେନରେ ଚଢ଼ିବା ଅଭ୍ୟାସ ଆଖି ପାଇଁ ଭଲ ନୁହେଁ । ଟି.ଭି. କୁ ଅନ୍ତତଃ ୬ ଫୁଟ ବ୍ୟବଧାନରେ ରଖି କାର୍ୟ୍ୟକ୍ରମ ଦେଖନ୍ତୁ । ବାହାରର ଧୂଳି ମଳିରୁ ଆଖିକୁ ସୁରକ୍ଷିତ ରଖିବା ଲାଗି ନାମୀଦାମୀ ଚଷମା ନିଶ୍ଚୟ ପିନ୍ଧନ୍ତୁ । ଖରାରେ ବୁଲିବା, ଅନିଦ୍ରା ରହିବା ଫଳରେ କିମ୍ବା ଅନ୍ୟ କୌଣସି କାରଣରୁ ଆଖିରେ ଜ୍ୱଳନ ଅନୁଭବ କରୁଥିଲେ ବରଫ ରହିଥିବା କନା ପଟି କିଛି ସମୟ ଲାଗି ନିର୍ଦ୍ଧାରିତ ସ୍ଥାନରେ ରଖନ୍ତୁ । ଆଖିକୁ ଯଥା ସମ୍ଭବ ପରିଷ୍କାର ରଖିବା ଆବଶ୍ୟକ । ଦିନରେ ଚାରିପାଞ୍ଚ ଥର ସ୍ୱଚ୍ଛ ଜଳରେ ଆଖି ଧୁଅନ୍ତୁ ରାତିରେ ଶୋଇବା ସମୟରେ ମଧ୍ୟ ଆଖିକୁ ଭଲଭାବରେ ଧୁଅନ୍ତୁ । ସକାଳୁ ଉଠି ମୁହଁରେ ଓ ଆଖିରେ ପାଣି ଛାଟ ମାରନ୍ତୁ । ଆଖି ପରିଷ୍କାର ହୋଇ ଉଜ୍ଜ୍ୱଳ ଦଶିବ । ତ୍ରିଫଳା ପାଣିରେ ଆଖି ଧୋଇଲେ ଆଖିର ହାଲିଆ ଭାବ ଦୂର ହୁଏ । ଆଖିର ଦୃଷ୍ଟିଶକ୍ତି ମଧ୍ୟ ବଢ଼େ । ଆଖିରେ ଗୋଲାପଜଳ ପକାଇଲେ, ଆଖି ପରିଷ୍କାର ରହେ । କୁଣ୍ଡାଇ ହେବା ବନ୍ଦ ହୁଏ । ଭୋଜନରେ ଭିଟାମିନ-ଏ, ପ୍ରୋଟିନ ଓ ଖଣିଜ ସାର ପର୍ୟ୍ୟାପ୍ତ ମାତ୍ରାରେ ରହିବା ଆବଶ୍ୟକ । ସବୁଜ ପରିବା, ଗାଜର, ଟମାଟୋ ଓ ଶାଗ ଖାଆନ୍ତୁ । ପାଳଙ୍କ ଶାଗ ଦୃଷ୍ଟି ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ । ଭୋଜନ ସହ ପ୍ରତ୍ୟହ ଆଠଗ୍ଳାସ ପାଣି ପିଅନ୍ତୁ । ମଇଳା ବସ୍ତ୍ର, ଶାଢ଼ୀକାନି ଆଦିରେ ଆଖି ପୋଛନ୍ତୁ ନାହିଁ ବରଂ ଟିସୁ ପେପର ବା ପରିଷ୍କାର ରୁମାଲ ବ୍ୟବହାର କରନ୍ତୁ । ଆଖିକୁ କେବେ ଉଷୁମ ପାଣିରେ ଧୁଅନ୍ତୁ ନାହିଁ । ଏହା ଦ୍ୱାରା ନେତ୍ର ଜ୍ୟୋତି କ୍ଷୀଣ ହେବାର ଆଶଙ୍କା ରହିଛି । ଆଖି ପାଇଁ ଯାହା ବି ପ୍ରସାଧନ ବ୍ୟବହାର କରିବେ, ତାହା ନାମୀ କମ୍ପାନୀର ତଥା ଭଲ କ୍ୱାଲିଟିର ହୋଇଥିବା ଆବଶ୍ୟକ । ଘରକୁ ଫେରି ଆଖିକୁ ଶୀଘ୍ର ପରିଷ୍କାର କରି ଦିଅନ୍ତୁ ଓ ଥଣ୍ଡା ପାଣିରେ ଛାଟ ମାରନ୍ତୁ । ଆଖିର ଆଖପାଖରେ ଏଷ୍ଟିଜେଣ୍ଟ ବା ବ୍ଳିଚିଂ କ୍ରିମ ପ୍ରୟୋଗ କରନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଆଖିରେ ପକାନ୍ତୁ ନାହିଁ । ପ୍ରଖର ସୂର୍ୟ୍ୟକିରଣ, ଧୂଳି ଓ ଧୂଆଁରୁ ଆଖିକୁ ଯଥାସମ୍ଭବ ରକ୍ଷା କରନ୍ତୁ । ଏଥିପାଇଁ ଗଗଲସ ବ୍ୟବହାର କରିବା ଭଲ । ଚଷମା କିମ୍ବା କଣ୍ଟାକ୍ଟ ଲେନ୍ସର ପ୍ରୟୋଗ କରିବା ସମୟରେ ତାର ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ସମୟ ସମୟରେ ଏହାକୁ ଚେକ କରନ୍ତୁ । ଯେଉଁ ସମୟରେ ଆଖି ରୋଗ ବ୍ୟାପିଥାଏ ସେହି ସମୟରେ ସାର୍ବଜନିନ ସ୍ଥାନକୁ ଯାଆନ୍ତୁ ନାହିଁ । ଆଖିରୋଗ ଡିଆଁ ରୋଗ । ଯଦି ଯାଉଛନ୍ତି ତେବେ ଗଗଲସ ଲଗାନ୍ତୁ । ଆଖିରେ ମଇଳା ଆଦି ପଡିଲେ ସଂଗେ ସଂଗେ ଦଳି ଦିଅନ୍ତୁ ନାହିଁ । ଶୀଘ୍ର ସାଦା ପାଣିରେ ଛାଟ ମାରନ୍ତୁ । ଆଖିରେ ଶୁଦ୍ଧ ମହୁ ପକାଇଲେ ନେତ୍ର ଜ୍ୟୋତି ଅକ୍ଷୁର୍ଣ୍ଣ ରହେ । ମଝିରେ ମଝିରେ ଆଖିକୁ ମାଲିସ କରନ୍ତୁ । ନିୟମିତ ମାଲିସ କଲେ ଆଖି ଆଖପାଖରେ କୁଞô୍ଚତ ରେଖା ଦେଖାଯିବ ନାହିଁ । କୌଣସି ଭଲ କ୍ରିମରେ ଆଖି ମାଲିସ କରନ୍ତୁ । ଆଖି ଥକି ପଡିଥିଲେ ବା ହାଲିଆ ହୋଇଥିଲେ ପାଞ୍ଚସାତ ମିନିଟ ପାଇଁ ସବୁ କାର୍ୟ୍ୟରୁ ନିଜକୁ ମୁକ୍ତ ରଖି ଆଖି ବନ୍ଦ କରି ଶୋଇ ଯାଆନ୍ତୁ । ଆଖିରେ କାକୁଡି ବା ଆଳୁକୁ ଗୋଲ ଗୋଲ କରି କାଟି ରଖନ୍ତୁ । ଏହା ଆଖିକୁ ଆରାମ ଦେବ । ଆଖିତଳ ମଧ୍ୟ କଳା ପଡିବ ନାହିଁ । ଏଭଳି ଭାବରେ ପଢ଼ନ୍ତୁ ଯେ ପୁସ୍ତକ ଉପରେ ଠିକ ଭାବରେ ଆଲୋକ ପଡିବ । ଆଖି ଓ ପୁସ୍ତକ ମଧ୍ୟରେ ଦେଢ଼ଫୁଟ ରହିବା ଭଲ । ସର୍ବଦା ବସି ରହି ପଢ଼ନ୍ତୁ । ପଢ଼ିବା, ଟେଲିଭିଜନ ଦେଖିବା ବା ଆଖି ଉପରେ ଜୋର ଦେଉଥିବା ଅନ୍ୟ କାର୍ୟ୍ୟ କରିବା ବେଳେ ମଝିରେ ମଝିରେ ଡୋଳା ଏପଟ ସେପଟ କରନ୍ତୁ । ୪୦ ବର୍ଷ ବୟସ ପରେ ପ୍ରତି ଦୁଇବର୍ଷରେ ଥରେ ଆଖି ପରୀକ୍ଷା କରନ୍ତୁ ।






