ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଇଏସଆଇ ହିତାଧିକାରୀ କରୋନାରେ ମୃତ୍ୟୁ ହୋଇଥିଲେ ବା ହେଲେ ଇଏସଆଇର ସମସ୍ତ ସବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଇଏସଆଇ ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଇଏସଆଇ ସହାୟତା ପାଇବେ କି ନାହିଁ ତାହା ଦ୍ୱନ୍ଦରେ ଥିବା ବେଳେ ଆଜି ଇଏସଆଇ ପକ୍ଷରୁ ଏହାର ସ୍ପଟ ସୂଚନା ମିଳିଛି । ଯାହାଫଳରେ ଇଏସଆଇ ହିତାଧିକାରୀଙ୍କ ପରିବାର ଲୋକ ଆଶ୍ୱସ୍ତି ପାଇଛନ୍ତି । କରୋନାରେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ମାସରେ ହାରାହାରି ଦରମାର ୯୦ ପ୍ରତିଶତ ପେନସନ୍ ମିଳିବ । ହିତାଧିକାରୀଙ୍କ ମୃତ୍ୟୁ ପରେ ପତ୍ନୀ ଏକମାତ୍ର ନିର୍ଭରଶୀଳ ଥିଲେ ସେ ପୁନଃବିବାହ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ ପେନସନ୍ ପାଇବାକୁ ଯୋଗ୍ୟ ହେବେ । ହିତାଧିକାରୀଙ୍କ ପରିବାର ଲୋକ ପଜିଟିଭ୍ ରିପୋର୍ଟ ଓ ମୃତ୍ୟୁ ପ୍ରମାଣପତ୍ର ସହ କ୍ଲେମ୍ ଫର୍ମ ପୁରଣ କରି ଏହି ପେନସନ୍ ପାଇଁ ଆବେଦନ କରିପାରିବେ । ୨୦୨୦ ମାର୍ଚ୍ଚ ୨୪ରୁ ପିଛିଲା ଭାବେ ଲାଗୁ ହୋଇଥିବା ଏହି ସ୍କିମ୍କୁ ସରକାର ୨ ବର୍ଷ ପାଇଁ କାର୍ୟ୍ୟକାରୀ କରିଛନ୍ତି । ଏହାସହ ମୃତ କର୍ମଚାରୀଙ୍କ ପତ୍ନୀ ବାର୍ଷିକ ୧୨୦ ଟଙ୍କା ପେମେଣ୍ଟ କରି ଇଏସ୍ଆଇ ମେଡିକାଲ ସେବାର ଫାଇଦା ମଧ୍ୟ ଉଠାଇପାରିବେ ବୋଲି ଭୁବନେଶ୍ୱର କ୍ଷେତ୍ରୀୟ କାର୍ୟ୍ୟାଳୟର ମୁଖ୍ୟ ପାର୍ଥ ସାରଥୀ ପଣ୍ଡା କହିଛନ୍ତି । ଏଥିସହ ସେ କହିଛନ୍ତି, ଏହି ସ୍କିମ୍ ୨୦୨୦ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ପର୍ୟ୍ୟନ୍ତ ୨ ବର୍ଷ ଲାଗୁ ରହିବ। ଯେଉଁ ଇଏସ୍ଆଇସି ହିତାଧିକାରୀଙ୍କର କୋଭିଡ ଯୋଗୁ ମୃତ୍ୟୁ ହୋଇଛି, ସେମାନେ ପାଇଥିବା ଶେଷ ଦରମାର ୯୦% ପେନସନ୍ ମିଳିବ।





