ତେଲକୋଇ, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟ୍ ଅଞ୍ଚଳ ଶିମିଳିପାଳ ଗାଁରେ ହାତୀ ଉପଦ୍ରବ। ଏକର ଏକର ପାଚିଲା ଧାନ ଫସଲ ଦଳି ମକଚି ନଷ୍ଟ କଲେ ୨୨ଟିକିଆ ହାତୀପଲ। ଫଳରେ ପରିବାର ପ୍ରତିପୋଷଣ ଚିନ୍ତାରେ ଚାଷୀ। ସେପଟେ ହାତୀପଲଙ୍କୁ ଘଉଡ଼ାଇବାରେ ବନବିଭାଗର ବିଫଳ ହୋଇଥିବାରୁ କ୍ଷତିପୂରଣ ପାଇଁ ନିବେଦନ କରିଛନ୍ତି ଚାଷୀ। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟ୍ର ଶିମିଳିପାଳ ଗାଁରେ ହାତୀପଲ ପଶି ରୁଷି ପାତ୍ର, ଚୈତନ୍ୟ ପାତ୍ର, ସୁଦାମ ପ୍ରଧାନ, ଲୋକନାଥ ପ୍ରଧାନ, ବିରଞ୍ଚି ପ୍ରଧାନ ପ୍ରମୁଖ ୧୦ ଜଣ ଚାଷୀଙ୍କ ୧୫ ଏକରରୁ ଉର୍ଦ୍ଧ୍ଵ ଜମିରେ ଥିବା ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି। ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଛୁଆଙ୍କ ମୁହଁରେ ଦାନା ଗଣ୍ଡେ ଦେବାପାଇଁ ଫସଲ ଅମଳ ପାଇଁ ଅନାଇ ବସିଥିବା ବେଳେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ହାତୀପଲ । ଧାନ ଅମଳ ସମୟରେ ହାତୀପଲ ଧାନଫସଲକୁ ନଷ୍ଟ କରିଦେବା ଫଳରେ ଚାଷୀ ଏବେ ଚିନ୍ତାରେ ପଡିଯାଇଛି । ବର୍ଷ ତମାମ ପରିବାର କେମିତି ଚଳିବ ସେନେଇ ଚିନ୍ତା କରି ଏବେ ମୁଣ୍ଡରେ ହାତଦେଇ ବସିଛି ଚାଷୀ। ସେପଟେ ହାତୀପଲଙ୍କୁ ଘଉଡ଼ାଇବାରେ ବନବିଭାଗର ବିଫଳତାକୁ ଦାୟୀ କରିଛନ୍ତି ଗ୍ରାମବାସୀ ।






