ତେଲକୋଇ, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର ଶିବନାରାୟଣପୁର ଗୋଡା ପଞ୍ଚାୟତ ଭାଲିଆଡାଳ ଗାଁରେ ହାତୀପଲଙ୍କ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଗାଁରେ ପଶି ଏକର ଏକର ଧାନଫସଲ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି । ଗାଁର କୌଳାସ ମହାନ୍ତ, ଶୁକଦେବ ପାତ୍ର, ଯୁଗଳ ଦେହୁରୀ, ବୀରବର ଦେହୁରୀ ପ୍ରମୁଖ ଚାଷୀଙ୍କର ୧୦ ଏକରରୁ ଉର୍ଦ୍ଧ୍ଵ ଧାନଫସଲ ନଷ୍ଟ କରିଛନ୍ତି ହାତୀପଲ । ସେହିପରି ଶନିବାର ଦିନ ବିଳମ୍ବିତ ରାତିରେ ଗୂଣ୍ଡରିଯୋଡା ଗାଁରେ ଧନଫସଲ ନଷ୍ଟ କରି କଳାପାଟ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଥିଲେ । ବନବିଭାଗ ସେଠାରୁ ହାତୀପଲଙ୍କୁ ଘଉଡାଇବାରେ ସଫଳ ହୋଇନଥିବା ବେଳେ ରବିବାର ବିଳମ୍ବିତ ରାତିରେ ଭାଲିଆଡାଳ ଗାଁରେ ଉପଦ୍ରବ କରିଥିଲେ ହାତୀପଲ । ତେବେ ଫସଲକୁ ସୁରକ୍ଷା ଦେବାପାଇଁ ଚାଷୀ ହାତୀପଲଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ହାତୀଙ୍କୁ ସୁରକ୍ଷିତ ରଖିବା ସହ ଲୋକଙ୍କ ଧନଜୀବନ ଓ ଫସଲକୁ ସୁରକ୍ଷା ଦେବା ବନବିଭାଗର ଦାୟିତ୍ୱ ରହିଥିବା ବେଳେ ବନବିଭାଗ ଅବହେଳା ପ୍ରର୍ଦଶନ କରୁଥିବା ସର୍ବସାଧାରଣରେ ଅଭିଯୋଗ ହୋଇଛି ।






