ଚୌଦ୍ବାର, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ଗାଁରେ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଶନିମନ୍ଦିର ଛାତ ଉପରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ କୁଷ୍ପଙ୍ଗି ଗ୍ରାମର ନରେନ୍ଦ୍ର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ । ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ବୁଧବାର ପ୍ରଶାନ୍ତ ଗ୍ରାମରେ ଥିବା ଶନି ମନ୍ଦିର ଛାତ ଉପରେ ପାଇପ୍ କାମ କରୁଥିଲେ । ହଠାତ କୌଣସି କାରଣରୁ ଛିଡ଼ା ହୋଇଯିବାରୁ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଟଳିପଡିଥିଲେ । ଏହା ଦେଖି ଗ୍ରାମବାସୀ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରଶାନ୍ତଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ନ ପଠାଇ ଗାଁକୁ ନେଇଯାଇଥିବା ତାଙ୍କ ଭାଇ ସୁବାଷ ଅଭିଯୋଗ କରିଛନ୍ତି । ତରବରିଆ ଭାବେ ଗ୍ରାମର କିଛି ମୁଷ୍ଟିମେୟ ଲୋକ ଶୀଘ୍ର ଦାହ କରିବା ପାଇଁ ଚାପ ପକାଇଥିଲେ । ସୁବାଷ କିଛି ବୁଝିନପାରି ପ୍ରଶାନ୍ତଙ୍କ ଶବ ସତ୍କାର କରିଦେଇଥିଲେ । ତାଙ୍କ ଭାଇଙ୍କ ମୃତ୍ୟୁରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ସୁବାଷ ଦାବି କରିଛନ୍ତି । ଏହାସହ ସରକାରୀ ସାହାଯ୍ୟ ମିଳିବା ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ।






