ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଆଗାମୀ ନୟାଗଡ଼ ପୌର ନିର୍ବାଚନ ସମ୍ବନ୍ଧରେ ଏକ ସର୍ବଦଳୀୟ ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନକୁ କୋଭିଡ୍ ଗାଇଡ୍ ଲାଇନ ଏବଂ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ପର୍ଯବେକ୍ଷକ(ସାଧାରଣ)ଧନଞୟ ସ୍ୱାଇଁ ଆଦର୍ଶ ଆଚରଣ ବିଧି ଉପରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ଏହାକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏହାପରେ ନିର୍ବାଚନ ପର୍ଯ୍ୟବେକ୍ଷକ(ଖର୍ଚ୍ଚ)ବାବୁଲାଲ ପାତ୍ର ି ନିର୍ବାଚନରେ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଏବଂ କାଉନସିଲର ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ସୂଚନା ଦେଇଥିଲେ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପ୍ରତ୍ୟେକ ଦିନର ଖର୍ଚ୍ଚର ହିସାବ ତାଲିକା ନିର୍ଦ୍ଧାରିତ ଫର୍ମରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବା ନିମନ୍ତେ ନିର୍ବାଚନ ପର୍ଯ୍ୟବକ୍ଷେକଙ୍କୁ ପ୍ରଦାନ କରିବେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଗ୍ନଜିତ ରାଉତ ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ପ୍ରାର୍ଥିନୀ ପ୍ରମୁଖ ଉପସ୍ଥିତ ଥିଲେ ।






