ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜାତୀୟ ଶିକ୍ଷା ନୀତିରେ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ନିର୍ମାଣ ଉଦ୍ଦେଶ୍ୟରେ କରାଯାଇଥିବା ଏହି ସଂସ୍କାରକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନ୍ୟାସନାଲ ଡିଜିଟାଲ ଏଜୁକେସନ ଆର୍କିଟେକଚର ଓ ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ୍ର ଶୁଭାରମ୍ଭ କରିଥିବା ବେଳେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାକୁ ଏହା ଦୃଢ଼ିଭୂତ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । ଜାତୀୟ ଶିକ୍ଷାନୀତିର ନୂତନ ପଦକ୍ଷେପ ଗୁଡିକ ସହିତ ଖାପଖୁଆଇ ସୋଆ ପକ୍ଷରୁ ବିଭିନ୍ନ ଅନଲାଇନ୍ ଶିକ୍ଷାଦାନ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି । ବିଶେଷ ଭାବେ କୋଭିଡ୍ ମହାମାରୀ ଯୋଗୁ କ୍ଲାସରୁମ ଶିକ୍ଷା ପ୍ରଦାନ ବାଧାପ୍ରାପ୍ତ ହୋଇଥିବାବେଳେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାକୁ ଆପଣାଯାଇଛି । ସୋଆରେ ସ୍ୱୟମ୍ ଓ ମୋଡୁଲ୍ ପ୍ଲାଟଫର୍ମ ବ୍ୟବହାର କରାଯାଇ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ । ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ ସୁବିଧାକୁ ସୋଆ ଛାତ୍ରଛାତ୍ରୀ ବିନିଯୋଗ କରିବେ । ଗତ କିଛି ବର୍ଷ ହେବ ଅନେକ ବିଦେଶୀ ଛାତ୍ରଛାତ୍ରୀ ସୋଆରେ ପାଠ ପଢିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ପ୍ରଫେସର ମହାପାତ୍ର କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂ କାର୍ୟ୍ୟକ୍ରମରେ କୁଳପତିଙ୍କ ବ୍ୟତୀତ ପ୍ରୋ ଭାଇସ ଚାନ୍ସସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଡିସ୍ନାଲ ଡିନ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଅନଲାଇନ୍ ସଂଯୋଜକ ଆସିଷ୍ଟାଣ୍ଟ ପ୍ରଫେସର ଅନିଶ ୟୁନୁଭା ଯୋଗ ଦେଇଥିଲେ ।






