ଭୁବନେଶ୍ବର, (ବାଘୁଆବାର୍ତ୍ତା): ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ବୋର୍ଡର ଦଶମ ଫଳ ପ୍ରକାଶ ପାଇବ । ଓଡ଼ିଶା ବୋର୍ଡର ଦଶମ ଫଳ ଜୁନ୍ ୨୫ରେ ପ୍ରକାଶ ପାଇଥିଲେ ମଧ୍ୟ ଅନ୍ୟ ବୋର୍ଡଗୁଡ଼ିକର ଫଳ ପ୍ରକାଶ ପାଇନଥିବାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ବିଳମ୍ବ ହେଉଛି । ଅଗଷ୍ଟ ପ୍ରଥମ ସପ୍ତାହରୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏ ପର୍ୟ୍ୟନ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ସମସ୍ତ ଜୁନିୟର୍ କଲେଜ ବା ହାୟର୍ ସେକେଣ୍ଡାରୀ ସ୍କୁଲଗୁଡ଼ିକୁ ସେମାନଙ୍କ ସିଟ୍ ସଂଖ୍ୟା ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଜୁନିୟର୍ କଲେଜଗୁଡ଼ିକୁ ଚିଠି ଲେଖାଯାଇଛି । ସେମାନଙ୍କ ଶିକ୍ଷାନୁଷ୍ଠାନ ସମ୍ପର୍କିତ ସମସ୍ତ ତଥ୍ୟ ୩୧ ସୁଦ୍ଧା ଅପଡେଟ୍ କରିବା ସହିତ ନାମଲେଖା ଫି ସମ୍ପର୍କରେ ମଧ୍ୟ ତଥ୍ୟ କଲେଜର ଇ-ସ୍ପେସ୍ ପୋର୍ଟାଲରେ ଅପଲୋଡ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଅପଲୋଡ୍ ନକଲେ ଚଳିତ ଶିକ୍ଷାବର୍ଷରେ ନାମଲେଖା ପାଇଁ କଲେଜଗୁଡ଼ିକୁ ଅନୁମତି ଦିଆଯିବନି । ନିର୍ଦ୍ଦେଶାଳୟ ଏଭଳି ଚେତାବନୀ ଦେଇଛି । ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିଥିବାରୁ ଯୁକ୍ତ ଦୁଇ କଲେଜଗୁଡ଼ିକରେ ନାମଲେଖାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଭୟଭୀତ ହୋଇପଡ଼ିଛନ୍ତି । ଭଲ କଲେଜରେ ନାମ ଲେଖିବାକୁ ସୁଯୋଗ ମିଳିବ କିମ୍ବା ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତ । ଅପରପକ୍ଷେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନିୟର୍ କଲେଜଗୁଡ଼ିକୁ ଚାହିଦା ଓ ଭିତ୍ତିଭୂମି ଅନୁସାରେ ସିଟ୍ ସଂଖ୍ୟା ବୃଦ୍ଧି କରିବାକୁ ସୁଯୋଗ ଦେଇଛି । ଯାହା ହେଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।






