ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁଡୁମୁଳୁଗୁମ୍ମା ଅଞ୍ଚଳର ଜଣେ ମହିଳା ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ପରିବାର ଲୋକେ କୁଡୁମୁଳୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମହିଳାଙ୍କୁ ପରୀକ୍ଷା କରିବାରୁ ସେ ଜଣେ ଏଚ୍ଆଇଭି ପଜିଟିଭ ସଂକ୍ରମଣ ଜାଣିସାରିବା ପରେ ତାଙ୍କୁ ଛୁଇଁବାକୁ ମନା କରିଦେଇଥିଲେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ।ତାଙ୍କୁ ଚିକିତ୍ସା ନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହି ଫେରାଇ ଦେଇଥିଲେ ବୋଲି ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ହସ୍ପିଟାଲରୁ ଫେରାଇଦେଲେ ପୁଣି ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଯାଇ ହଇରାଣ କାହିଁକି ହେବା ଭାବି ବାଇକରେ ମହିଳାଙ୍କୁ ଘରକୁ ପରିବାର ଲୋକେ ନେଇ ଯାଇଥିଲେ। ଘରେ ପହଞ୍ଚିବା ପରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏଚଆଇଭି ସଂକ୍ରମିତଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦଙ୍କୁ ପଚରା ଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚ ଆଇଭି ସଂକ୍ରମଣଙ୍କୁ ପ୍ରସବ କରାଇବାର କୌଣସି ସୁବିଧା ନଥିବାରୁ ଡାକ୍ତର ଜିଲ୍ଲା ହେର୍ଡ କ୍ୱାଟର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ତା’ସହିତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିଲେ। ମହିଳାଙ୍କ ପରିବାର ଲୋକେ ଜିଲ୍ଲା ହସ୍ପିଟାଲକୁ ନ ଯାଇ ବାଇକରେ ଘରକୁ ପଳାଇଥିଲେ। ରବିବାର ଦିନ ମହିଳାଙ୍କର ଏକ କନ୍ୟାସନ୍ତାନ ପ୍ରସବ ହୋଇଛି। ମା ଓ ଶିଶୁ ସୁସ୍ଥ ଅଛନ୍ତି। ଆହୁରି ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଏଚଆଇଭି ସଂକ୍ରମିତଙ୍କ ନିମନ୍ତେ ଅନେକ ବ୍ୟବସ୍ଥା ରହିଛି ।ସ୍ବାସ୍ଥ୍ୟ କ୍ଷେତ୍ରରେ ଏଆରଟି ସେଣ୍ଟରରୁ ମାଗଣା ଔଷଧ ପ୍ରତିମାସରେ ପ୍ରଦାନ କରାଯିବା ସହ ଗର୍ଭବତୀଙ୍କ ମାଗଣାରେ ଟେଷ୍ଟ ଏବଂ ଇନଷ୍ଟୁଆଲ ଡେଲିଭେରି କରାଇବା ବ୍ୟବସ୍ଥା ଅଛି। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଧ୍ୟାନ ଦିଆଯିବା ସେନେଇ ପଦକ୍ଷେପ ଗ୍ରହଣ କରାଯିବ । ଗତକାଲି ଏକ ଡାକ୍ତରୀ ଦଳ ମହିଳାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଆଜି ସେ ମହିଳା ଓ ନବଜାତ ଶିଶୁଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ ରେ ଭର୍ତ୍ତିକରାଯାଇ ସମସ୍ତ ପ୍ରକାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସିଡିଏମଓ କହିଛନ୍ତି। ଅପରପକ୍ଷରେ ମହିଳାଙ୍କ ପରିବାର ଲୋକେ କହିଛନ୍ତି ପ୍ରଥମ ସନ୍ତାନ ହେବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ସେମାନଙ୍କୁ ସେଠାରେ ପଇସାପତ୍ର ମଗାଯାଇଥିଲା। ତେଣୁ ସେମାନେ ସେଠାକୁ ଯିବାକୁ ଇଛା ନକରି ନିଜ ଘରକୁ ଫେରିଯାଇଥିଲେ।






