ବାରିପଦା, (ବାଘୁଆବାର୍ତ୍ତା): ମଣିଷ ଖାଇଲା ମଣିଷ ମାଂସ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଧାପୋଡା ଶବର ମାଂସ ଖାଇବାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି। ମଣଷ ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି । ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା କେସ ନଂ ୪୦/୨୩ରେ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରୁ ଶବ ବ୍ୟବଚ୍ଛେଦ କରି ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ । ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବର ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ । ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ। ଏହା ଦେଖି ଉତ୍ୟକ୍ତ ଲୋକେ ସେମାନଙ୍କୁ ମାଡ ମାରିବା ସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି।





