ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଏନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୂଚନା ମୁତାବକ ଆଜି ଅପରାହ୍ନ ୧ଟା ୩୦ ଘଣ୍ଟା ମଧ୍ୟରୁ ଆସନ୍ତାକାଲି ସକାଳ ୮ଟା୩୦ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା ଓ ଗଜପତି ପ୍ରଭୃତି ୧୦ଟି ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ପବନର ବେଗ ୩୦-୪୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ଓ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏଥିସହ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି କାଳବୈଶାଖୀ ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।





