ଭୁବନେଶ୍ୱର/କଟକ, (ବାଘୁଆବାର୍ତ୍ତା): ଏକ ୱେବ୍ ଚ୍ୟାନେଲ୍ର କର୍ମକର୍ତ୍ତାଙ୍କୁ ସାମାଜିକ ଗଣମାଧ୍ୟମରେ ବିଶିଷ୍ଟ ଧାବିକା ଦୂତି ଚାନ୍ଦ ଧମକଚମକ ଦେବା ଘଟଣାରେ ହାଇକାର୍ଟ ଭୁବନେଶ୍ୱର ଡିସିପିଙ୍କୁ ସତ୍ୟପାଠ ଜରିଆରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୱେବ୍ ଚ୍ୟାନେଲ୍ର ନିର୍ଦ୍ଦେଶକ ସୁଧାଂଶୁ ଶେଖର ରାଉତଙ୍କ ପତ୍ନୀଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତି ଆସନ୍ତା ୨୮ ତାରିଖ ପୂର୍ବରୁ ଜବାବ ରଖିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ୱେବ୍ ଚ୍ୟାନେଲ୍ ପକ୍ଷରୁ ଦୂତିଙ୍କ ବାପା, ମା ଏବଂ ତାଙ୍କ ଭଉଣୀ ଏକ ପ୍ରେସ୍ ବିବୃତ୍ତି ଦେଇଥିଲେ । ଯେଉଁଥିରେ ଦୂତି କିପରି ସେମାନଙ୍କୁ ପଚାରୁନାହିଁ ବୋଲି ଅଭିଯୋଗ ବାଢିଥିଲେ । ଏଥିରେ ସମ୍ପୃକ୍ତ ଚ୍ୟାନେଲ୍ ପକ୍ଷରୁ ଦୂତିଙ୍କର ମତାମତ ଲୋଡା ଯାଇଥିଲା । କିନ୍ତୁ ଦୂତି ସାମାଜିକ ଗଣମାଧ୍ୟମରେ ତାଙ୍କୁ ଧମକଚମକ ମଧ୍ୟ ଦେଇଥିଲେ । ଏନେଇ ସମ୍ପୃକ୍ତ ଚ୍ୟାନେଲ୍ର ନିର୍ଦ୍ଦେଶକ ସୁଧାଂଶୁ ଶେଖର ରାଉତଙ୍କ ପତ୍ନୀ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । କିନ୍ତୁ ଏହି ଏତଲାକୁ ଗ୍ରହଣ କରାନଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆଯିବାରୁ ସେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।






